ଦିଲ୍ଲୀରେ ମଙ୍କିପକ୍ସର ଷଷ୍ଠ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସର ଷଷ୍ଠ ମାମଲା ରିପୋର୍ଟ ହୋଇଛି। ଦ୍ୱାରକାରେ ରହୁଥିବା ଜଣେ ୨୨ ବର୍ଷୀୟା ଆଫ୍ରିକୀୟ ମହିଳାଙ୍କର ରିପୋର୍ଟ ପଜିଟିଭ୍ ଆସିଛି | ମହିଳା ଜଣକ ଗତ କିଛି ଦିନ ହେବ ଜ୍ୱର ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ପରେ ତାଙ୍କୁ ଲୋକ ନାୟକ ଜୟ ପ୍ରକାଶ (ଏଲ୍ଏନଜେପି) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମହିଳାଙ୍କ ଅବସ୍ଥା ଭଲ ଥିବା ଏଲ୍ଏନଜେପି ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସୁରେଶ କୁମାର କହିଛନ୍ତି। ଏହାପୂର୍ବରୁ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମଙ୍କିପକ୍ସର ସମସ୍ତ ପାଞ୍ଚଜଣ ରୋଗୀ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର ଦିନକ ପରେ ଚଳିତ ବର୍ଷ ଜୁଲାଇ ୨୪ରେ ଦିଲ୍ଲୀରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ଦିଲ୍ଲୀରେ ଚିହ୍ନଟ ହୋଇଥିବା ୬ ମଙ୍କିପକ୍ସ ରୋଗୀଙ୍କ ମଧ୍ୟରୁ ପାଞ୍ଚ ଜଣ ହେଉଛନ୍ତି ନାଇଜେରିଆ ନାଗରିକ ।

Comments are closed.