ଆସ୍ଥା ଭୋଟ୍ ଜିତିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିଜେପି ସଦସ୍ୟଙ୍କ କକ୍ଷତ୍ୟାଗ

ରାଞ୍ଚି: ଝାଡ଼ଖଣ୍ଡର ଦୀର୍ଘ ଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସ୍ଥା ଭୋଟ୍ ଜିତିଛନ୍ତି। ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସରକାରଙ୍କ ସପକ୍ଷରେ ୪୮ଟି ଭୋଟ୍ ପଡ଼ିଥିଲା । ଅନ୍ୟପକ୍ଷରେ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ସୋମବାର ହେମନ୍ତ ସୋରେନ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ। ଏହାପୂର୍ବରୁ ରବିବାର ବିଳମ୍ବିତ ରାତିରେ ୟୁପିଏ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ବାସ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା |

ତାଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଅଛି ବୋଲି ହେମନ୍ତ ସୋରେନ୍ ଦାବି କରି ଆସୁଥିଲେ । ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ ଏହା ଆମର ବିଧାୟକଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି ସୋରେନ୍ କହିଥିଲେ । ଅନ୍ୟପକ୍ଷରେ ବିଶ୍ବାସ ପ୍ରସ୍ତାବ ଆଣିବାର ଆବଶ୍ୟକତା କ’ଣ ବୋଲି ବିଜେପି ବାରମ୍ବାର ପ୍ରଶ୍ନ କରୁଥିଲା । କିନ୍ତୁ ଆଜି ଆସ୍ଥା ଭୋଟ୍ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ପକ୍ଷରୁ ହୋହଲ୍ଲା ଆରମ୍ଭ ହୋଇଥିଲା । ୪୮ ବିଧାୟକ ହେମନ୍ତ ସୋରେନଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ।

ଖବର ମୁତାବକ, ସୋମବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେବା ଲାଗି ଝାଡ଼ଖଣ୍ଡର ଶାସକ ୟୁପିଏର ପ୍ରାୟ ୩୦ ଜଣ ବିଧାୟକ ସୋମବାର ଅପରାହ୍ନରେ ରାୟପୁରରୁ ରାଞ୍ଚିକୁ ଫେରିଥିଲେ । ଏହି ବିଧାୟକମାନେ ଅଗଷ୍ଟ ୩୦ରୁ ରାୟପୁର ନିକଟ ଏକ ରିସୋର୍ଟରେ ଥିଲେ ।

ହେମନ୍ତ ସୋରେନ ସରକାରଙ୍କୁ ୪୯ ଜଣ ବିଧାୟକଙ୍କ ସମର୍ଥନ ରହିଛି। ୮୧ ସଦସ୍ୟ ବିଶିଷ୍ଟ ଗୃହର ଏକମାତ୍ର ବୃହତ୍ତମ ଦଳ ଜେଏମ୍ଏମ୍ ର ବର୍ତ୍ତମାନ ୩୦ ଜଣ ବିଧାୟକ ଥିବା ବେଳେ କଂଗ୍ରେସ ୧୮ ଏବଂ ଆରଜେଡିର ଜଣେ ବିଧାୟକ ଅଛନ୍ତି । ମୁଖ୍ୟ ବିରୋଧୀ ବିଜେପିର ୨୬ ଜଣ ବିଧାୟକ ଅଛନ୍ତି।

ଲାଭଜନକ ପଦବୀ ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେବା ଚର୍ଚ୍ଚା ମଧ୍ୟରେ ବିରୋଧୀ ଘୋଡା ବେପାର କରିପାରେ ବୋଲି ଶାସକ ୟୁପିଏ ଶିବିରରେ ଆଶଙ୍କା ସୃଷ୍ଟି ହୋଇଥିଲା। ଏହି କାରଣରୁ ୟୁପିଏର ସମସ୍ତ ବିଧାୟକଙ୍କୁ ଗତ କିଛି ଦିନ ଧରି ଛତିଶଗଡ଼ ରାୟପୁରର ଏକ ରିସର୍ଟରେ ରଖାଯାଇଥିଲା।

Comments are closed.