ଏନ୍ଏଚ୍ ୪୨ ସଂପ୍ରସାରଣ ପାଇଁ ପୁଣି ଡିସେମ୍ବର ୨୦୨୩କୁ ଡେଡଲାଇନ୍ ବୃଦ୍ଧି

ସମ୍ବଲପୁର: ସମ୍ବଲପୁରରୁ କଟକ ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଏବେ ଅଧା ଓଡ଼ିଶାବାସୀଙ୍କ ପାଇଁ କାଳ ହେଲାଣି। ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି କାମ ବର୍ତ୍ତମାନ ସୁଦ୍ଧା ମାତ୍ର ୭୦ ପ୍ରତିଶତରେ ସୀମିତ ରହିଯାଇଛି। ସେପଟେ ମୂଳ ଠିକା ସଂସ୍ଥା ଧରାଛୁଆଁ ନ ଦେବାରୁ ବର୍ତ୍ତମାନ ଆଉ ଏକ ସଂସ୍ଥା ସହିତ ବଳକା କାମ ପାଇଁ ଏନ୍ଏଚ୍ଏଆଇ ଚୁକ୍ତି କଲାଣି। ଆଉ ଏହି ସଂସ୍ଥାକୁ ପୁଣି ଆସନ୍ତା ୨୦୨୩ ଡିସେମ୍ବରକୁ କାମ ସଂପୂର୍ଣ୍ଣ ପାଇଁ ନୂତନ ଡେଡଲାଇନ୍ ଦେଇଛି ଏନ୍ଏଚ୍ଏଆଇ।

ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ୪୨ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ପାଇଁ ଗତ ୨୦୧୬ରୁ ଜମି ଅଧିଗ୍ରହଣ ଶେଷ ହୋଇସାରିଥିଲା। ୨୦୧୭ରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ସମ୍ବଲପୁରରୁ ଅନୁଗୁଳ ପର୍ଯ୍ୟନ୍ତ ରାସ୍ତା ପାଇଁ ଗୋଟିଏ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଅନୁଗୁଳରୁ କଟକକୁ ଆଉ ପ୍ରକଳ୍ପ ହାତକୁ ନିଆଯାଇଥିଲା। ତେବେ, ସମ୍ବଲପୁରରୁ ଅନୁଗୁଳ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ଦାୟିତ୍ବ ଗାୟତ୍ରୀ କନଷ୍ଟ୍ରକସନ ନେଇଥିଲା। ହେଲେ ଇତିମଧ୍ୟରେ ୫ ବର୍ଷ ବିତି ୩ ଥର ଡେଡଲାଇନ୍ ବୃଦ୍ଧି ସତ୍ତ୍ବେ ରାସ୍ତା କାମ ମାତ୍ର ୭୦ ପ୍ରତିଶତ ମଧ୍ଯରେ ସୀମିତ ରହିଯାଇଛି। ଏଭଳି ସ୍ଥିତିରେ ଉକ୍ତ ସଂସ୍ଥାକୁ କାମ ତ୍ବରାନ୍ବିତ ପାଇଁ ବାରମ୍ବାର ତାଗିଦ କରିବା ପରେ କୌଣସି ସୁଫଳ ମିଳିନାହିଁ। ଫଳରେ ଏନ୍ଏଚ୍ଏଆଇ ଗତ ଜୁନ ମାସରୁ ଅଗୱାଲ୍ କନଷ୍ଟ୍ରକସନ ନାମକ ଗାୟତ୍ରୀ କନଷ୍ଟ୍ରକସନର ପେଟି ସଂସ୍ଥା ସହ ନୂତନ ଚୁକ୍ତି କରିଛି।

ଆଉ ବଳକା କାମକୁ ଆସନ୍ତା ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ସାରିବାକୁ ନୂଆ ଡେଡଲାଇନ୍ ଦିଆଯାଇଛି। ଇତିମଧ୍ୟରେ ନୂତନ ସଂସ୍ଥା ତାର କାମ ଆରମ୍ଭ କରିସାରିଛି। ହେଲେ ଡେଡଲାଇନ ଭିତରେ କାମ ସଂପୂର୍ଣ୍ଣ ହେବା ନେଇ ଆଶଙ୍କା ଦେଖାଦେଇଛି। କାରଣ ଏହି ରାସ୍ତାରେ ଥିବା ୧୨ଟି ହାତୀ କରିଡର ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଅନୁମତି ମିଳିପାରିନାହିଁ।

ସେପଟେ ରାସ୍ତା କାମରେ ବିଳମ୍ବ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ସବୁଠି ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ଯ ହେଉଛନ୍ତି।

Comments are closed.