ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ଜନଜୀବନ ପ୍ରଭାବିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାତମାମ ଗତ ଦୁଇ ଦିନ ଧରି ଲଘୁଚାପଜନିତ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଶୁକ୍ରବାର ରାତିରୁ ଏକରକମ ଅନବରତ ବୃଷ୍ଟିପାତ ଜିଲ୍ଲାରେ ଏକରକମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ମୋହନା, ଗୋଷାଣି, ରାୟଗଡ଼ ଆଦି ବ୍ଲକରେ ସ୍ଥିତି ଗମ୍ଭୀର ହୋଇଛି। କେଉଁଠି ଘର କାନ୍ଥ ଧସିଛି ତ କେଉଁଠି ଜଳବନ୍ଦୀ ଅବସ୍ଥା ଉପୁଜିଛି। ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ଅନେକ ଗାଁ ଜଳଘେରରେ ରହିଛି। ଲୋକେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛନ୍ତି।

ଶୁକ୍ରବାରରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ସାରା ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ଯଦିଓ ଚାଷୀକୂଳ ମଧ୍ୟରେ ସନ୍ତୋଷ ଦେଖାଦେଇଛି। ପ୍ରଚଣ୍ଡ ଖରା ଯୋଗୁଁ ଜମିରେ ଦେଖାଦେଇଥିବା ଜଳାଭାବ ସ୍ଥିତି ଦୂର ହୋଇପାରିଛି। ଚାଷୀ ଏହି ବର୍ଷା ଯୋଗୁଁ ଯଥେଷ୍ଟ ପାଣି ପାଇଛି। ତଳି ପୋଡ଼ି ଅବସ୍ଥା ସମାଧାନ ହୋଇଛି। ତେବେ ଜିଲ୍ଲାର ଖାଲୁଆ ଅଞ୍ଚଳ, ପାହାଡ଼ିଆ ଓ ନଦୀତଟବର୍ତ୍ତୀ ଇଲାକାରେ ଲୋକେ ସମ୍ଭାବ୍ୟ ବନ୍ୟା, ଜଳବନ୍ଦୀ ଅବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। କିଛି ଦିନ ପୂର୍ବେ ହୋଇଥିବା ଲଗାଣ ବୃଷ୍ଟିପାତ ଫଳରେ ଜିଲ୍ଲାର ଏକାଧିକ ସ୍ଥାନରେ ଭୂସ୍ଖଳନ ଘଟିଥିଲା, ଯଦିଓ ସୈାଭାଗ୍ୟବଶତଃ କାହାର ଜୀବନ ଯାଇନଥିଲା। ଏଥର ମଧ୍ୟ ସେଭଳି କିଛି ଅଘଟଣ ପ୍ରକୃତି ଘଟାଇବନି ତ ସେହି ଆଶଙ୍କାରେ ସମୟ କାଟୁଛନ୍ତି ପାହାଡ଼ ଇଲାକାର ବାସିନ୍ଦା।

 

କେବଳ ଶନିବାର ସକାଳରୁ ସନ୍ଧ୍ୟା ମଧ୍ୟରେ ଜିଲ୍ଲାରେ ପ୍ରବାହିତ ବଂଶଧାରା ନଦୀ ଅବବାହିକାରେ ୩୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନଦୀ ଜଳସ୍ତର ଲଗାତର ବୃଦ୍ଧି ପାଉଛି। ଶନିବାର ସନ୍ଧ୍ୟାରେ କାଶୀନଗର ଠାରେ ନଦୀ ସତର୍କ ସଙ୍କେତ (୫୪.୧୦ ମିଟର) ପାଖାପାଖି ୫୩.୫୦ ମିଟରରେ ପହଞ୍ଚି ଥିଲା। ଆହୁରି ବର୍ଷା ବିତ୍ପାତ ଜାରି ରହିଲେ ବନ୍ୟା ହେବା ଥୟ। ସେପଟେ ହରଭଙ୍ଗୀ ନଦୀ ମଧ୍ୟ ଫୁଲିବାରେ ଲାଗିଛି। ଅଡବା ନିକଟରେ ନଦୀରେ ହୋଇଥିବା ଡ୍ୟାମର ଗୋଟିଏ ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଉଛି।

ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ଆସିବାରେ ଲାଗିଛି। ଗୁମ୍ମା ବ୍ଲକର କୁଜାସିଂ ପଞ୍ଚାୟତ ଅଢ଼େଇ ଗାଁରେ ୫ଟି ପରିବାରର ଘର କାନ୍ଥ ଧସି ନଷ୍ଟ ହୋଇଛି। ସେମାନଙ୍କୁ ପଞ୍ଚାୟତ ଅଫିସରେ ଆଶ୍ରୟ ଦିଆଯାଇଛି। ମୋହନା ବ୍ଲକ୍ ୪ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି। ହରଭଙ୍ଗୀ ନଦୀ ଜଳସ୍ତର ଲଗାତର ବୃଦ୍ଧି କାରଣରୁ ଧନୁପଙ୍କ, ନୂଆସାହି, ଗୁଡ୍ରିଗୁଡା, ବଢ଼େଇପୁର ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତିନି ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋବିନ୍ଦପୁର ଗ୍ରାମରେ ଗଛ ପଡ଼ି ଦୋକାନ ଘର ଭାଙ୍ଗିଯିବା ଖବର ମିଳିଛି। ଏହି କାରଣରୁ ବଡଗଡ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମୋହନା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଣି ଘେରରେ ରହିଛି। ସେପଟେ ଗଣ୍ଡାହାତୀ ଜଳପ୍ରପାତ ବୁଲିବାକୁ ଏକ କାରରେ ଆସିଥିବା ଆନ୍ଧ୍ରପ୍ରଦେଶର ତିନି ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏକ ପୋଲରେ ଧକ୍କା ଦେବା ପରେ କାରଟିଏ ଦଶ ଫୁଟ ତଳକୁ ଖସି ନାଳରୁ ପ୍ରଖର ସୁଅରେ ଭାସିଯାଇ ଥିଲା। କାରରେ ଥିବା ପର୍ଯ୍ୟଟକମାନେ ଠିକ୍ ସମୟରେ ବାହାରି ଆସିବାରୁ ରକ୍ଷା ପାଇଯାଇଛନ୍ତି।

Comments are closed.