ଆଜି ଏସିଆ କପ୍ ଫାଇନାଲ: ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ଟାଇଟଲ୍ ଲଢେଇ

ଦୁବାଇ: ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ରବିବାର ଏସିଆ କପ୍ ଫାଇନାଲ ଖେଳାଯିବ | ଆର୍ଥିକ ଓ ସାମାଜିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟରେ ଏଯାବତ ଚମତ୍କାର ପ୍ରଦର୍ଶନ କରିଛି । ଯଦି ଦଳ ଟାଇଟଲ ଜିତୁଛି, ତେବେ ସାମ୍ପ୍ରତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାର ଲୋକଙ୍କ ମୁହଁରେ ଏହା ନିଶ୍ଚିତ ହସ ଫୁଟାଇବ । । ଶ୍ରୀଲଙ୍କା ଚଳିତ ଏସିଆ କପ୍ ର ଆୟୋଜକ । କିନ୍ତୁ ଦେଶରେ ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ଏହାକୁ ନିଜ ଦେଶରେ ଆୟୋଜନ କରିପାରି ନଥିଲା । ତେଣୁ ସଂଯୁକ୍ତ ଆରବ ଏମିରେଟ୍ସକୁ ଏହି ଟୁର୍ନାମେଣ୍ଟ ସ୍ଥାନାନ୍ତର କରାଯାଇଥିଲା ।

ଦାସୁନ୍ ଶନକାଙ୍କ ନେତୃତ୍ୱାଧୀନ ଦଳ ପାଇଁ ଏହାକ ଖୁସିର ମୁହୂର୍ତ୍ତ ହୋଇଥାନ୍ତା ଯଦି ସେମାନେ ନିଜ ନିଜ ଗ୍ରାଉଣ୍ଡରେ ଫାଇନାଲ୍ ଖେଳୁଥାନ୍ତେ, କିନ୍ତୁ ସୁପର ଫୋରରେ ସେମାନଙ୍କର ପ୍ରଦର୍ଶନକୁ ଦେଖିଲେ ଏହା କୁହାଯାଇପାରେ ଯେ ବାବର ଆଜମଙ୍କ ପାକିସ୍ତାନ ପାଇଁ ଚ୍ୟାଲେଞ୍ଜ ସହଜ ହେବ ନାହିଁ | ଏସୀୟ କ୍ରିକେଟ୍ ପରିଷଦ ହେଉ କିମ୍ବା ଦୁବାଇର ଦର୍ଶକ ହୁଅନ୍ତୁ, ସମସ୍ତେ ଫାଇନାଲ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେଉ ବୋଲି ଚାହୁଁଥିଲେ । କିନ୍ତୁ ଶ୍ରୀଲଙ୍କା ଜବରଦସ୍ତ ପ୍ରଦର୍ଶନ କରି ସେମାନଙ୍କର ସବୁ ଅଙ୍କ ବିଗାଡି ଦେଇଥିଲା |

କେବଳ ଏତିକି ନୁହେଁ ଶ୍ରୀଲଙ୍କା ଶୁକ୍ରବାର ଶେଷ ସୁପର-୪ ମୁକାବିଲାରେ ପାକିସ୍ତାନକୁ ସହଜରେ ହରାଇ ଦେଇଥିଲା। ଏହା ସହିତ ଦଳ ଦୃଢ ମନୋବ ସହିତ ଫାଇନାଲରେ ପ୍ରବେଶ କରିବ | କିନ୍ତୁ ଦୁବାଇରେ ପାକିସ୍ତାନ ଦର୍ଶକଙ୍କ ବିପୁଳ ସମର୍ଥନ ପାଇବାର ସମ୍ଭାବନା ରହିଛି ଏବଂ ଏଭଳି ପରିସ୍ଥିତିରେ ବାବର ଆଜମ, ମହମ୍ମଦ ରିଜୱାନ, ମହମ୍ମଦ ନୱାଜ ଏବଂ ନାସିମ ଶାହାଙ୍କ ଭଳି ଖେଳାଳିମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ।

ପାକିସ୍ତାନ ସମ୍ମୁଖରେ ଏପରି ଏକ ଶ୍ରୀଲଙ୍କା ଦଳ ରହିବ ଯାହାକି ନିଜ କ୍ରିକେଟକୁ ଉଜ୍ଜୀବିତ କରିବାକୁ ଉଦ୍ୟମ କରୁଛି। ଶ୍ରୀଲଙ୍କା ଏହି ଫର୍ମାଟରେ ଛାପ ଛାଡ଼ିବାକୁ ଚାହୁଁଛି ଯେଉଁଥିରେ ସେମାନେ ୨୦୧୪ରେ ବିଶ୍ୱ ଚାମ୍ପିଅନ୍ ହୋଇଥିଲେ | ଶ୍ରୀଲଙ୍କାର କ୍ରିକେଟ୍ କିଛି ସମୟ ପାଇଁ ବୋର୍ଡ ମଧ୍ୟରେ ଖରାପ ଚୟନ ଏବଂ ରାଜନୀତି ସହ ସଂଘର୍ଷ କରିଆସୁଥିଲା । କିନ୍ତୁ ବର୍ତ୍ତମାନ ଏହାର ଖେଳାଳିମାନେ ଟି-୨୦ କ୍ରିକେଟ୍ ପ୍ରତି ମନୋଭାବ ପରିବର୍ତ୍ତନ କରିଛନ୍ତି ଏବଂ ଏଥିରେ ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟ ଯୋଡିଛନ୍ତି।

ଦୁଷ୍ମନ୍ତ ଚାମିରାଙ୍କ ପରି ଜଣେ ଅଭିଜ୍ଞ ବୋଲରଙ୍କ ଅନୁପସ୍ଥିତି ସତ୍ତ୍ୱେ ଶ୍ରୀଲଙ୍କାର ଆକ୍ରମଣ ମଜବୁତ ଦେଖାଯାଉଥିବା ବେଳେ ବ୍ୟାଟିଂରେ ଦୁଇଜଣ ଦକ୍ଷ ଓପନର୍ କୁସାଲ୍ ମେଣ୍ଡିସ୍ ଏବଂ ପୃଥମ୍ ନିଶଙ୍କା ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଦାନୁଷ୍କା ଗୁଣତିଳକା, ଭାନୁକା ରାଜପକ୍ଷେ, ଶନକା ଏବଂ ଚମାକାନ୍ତେ କରୁଣାତ୍ନେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି। ଏସିଆ କପ୍‌ର ପାଞ୍ଚଟି ମ୍ୟାଚ୍‌ରେ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନମାନେ ୨୮ ଛକା ଓ ୬୨ ଚୌକା ମାରିଛନ୍ତି, ଯାହା ସେମାନଙ୍କ ଆକ୍ରମଣାତ୍ମକ ମନୋଭାବକୁ ଦର୍ଶାଉଛି।
ବୋଲିଂରେ ମହେଶ ତୀକ୍ଷାନା ଏବଂ ଓ୍ବାନିନ୍ଦୁ ହସରଙ୍ଗା ସ୍ପିନ୍ ବିଭାଗର ଭଲ ପରିଚାଳନା କରିଥିବାବେଳେ ଦିଲଶାନ ମଧୁଶଙ୍କା ମୁଖ୍ୟ ଦ୍ରୁତ ବୋଲରଙ୍କ ଦାୟିତ୍ବକୁ ପ୍ରଶଂସନୀୟ ଭାବରେ ତୁଲାଇଛନ୍ତି।

ଅପରପକ୍ଷେ ପାକିସ୍ତାନ ଏହାର ଅଧିନାୟକ ତଥା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବାବରଙ୍କ ଫର୍ମକୁ ନେଇ ଚିନ୍ତିତ, ଯିଏ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚ୍‌ରେ ମାତ୍ର ୬୩ ରନ୍ ସଂଗ୍ରହ କରିଛନ୍ତି। ସେ ନିଶ୍ଚିତ ଭାବେ ଫାଇନାଲରେ ଏକ ବଡ଼ ଇନିଂସ ଖେଳିବାକୁ ଚେଷ୍ଟା କରିବେ |

ବୋଲିଂ ତଥାପି ପାକିସ୍ତାନର ମଜବୁତ ପାର୍ଶ୍ୱ ବୋଲି ମନେହୁଏ। ହରିସ୍ ରାଉଫ୍ ଏବଂ ମହମ୍ମଦ ହାସେନେନ୍ ମଧ୍ୟ ଭଲ ପ୍ରଦର୍ଶନ କରୁଥିବାବେଳେ ନସୀମ ଶାହାଙ୍କ ଖେଳ ନିରନ୍ତର ଉନ୍ନତି କରୁଛି। ଦଳର ଉଭୟ ସ୍ପିନର, ଲେଗ୍ ବ୍ରେକ୍ ବୋଲର ଶାଦବ ଖାନ୍ ଏବଂ ବାମହାତୀ ସ୍ପିନର ମହମ୍ମଦ ନୱାଜ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦୁବାଇରେ କିନ୍ତୁ ଟସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ଏବଂ ଏଭଳି ପରିସ୍ଥିତିରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ହାରିବାରେ ଲାଗିଛି। କିନ୍ତୁ ପ୍ରଥମେ ବ୍ୟାଟିଂ କରି ମଧ୍ୟ ପାକିସ୍ତାନର ପ୍ରଦର୍ଶନ ଭଲ ନଥିଲା। ଦଳ ଭାରତ ଏବଂ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ହାରିଥିଲା।

Comments are closed.