ଆଧାର କାର୍ଡରେ ‘ଟ୍ରାନ୍ସଜେଣ୍ଡର’ ଟ୍ୟାଗ୍ ପାଇବାରେ ଦେଶର ପ୍ରଥମ ବ୍ୟକ୍ତି ହେଲେ ଅନୁପ୍ରଭା ଦାସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ୨୯ ବର୍ଷୀୟ ବ୍ୟକ୍ତିଙ୍କୁ ଆଧାର କାର୍ଡରେ ଟ୍ରାନ୍ସଜେଣ୍ଡର ଟ୍ୟାଗ୍ ମିଳିଛି । ଅନୁପ୍ରଭା ଦାସ ମଜୁମଦାର ନାମକ ଜଣେ ତୃତୀୟ ଲିଙ୍ଗୀ ତଥା ଟ୍ରାନ୍ସଜେଣ୍ଡର ପାଇଁ ଏହା ଏକ ବଡ଼ ବିଜୟ | ଶେଷରେ ତାଙ୍କ ଆଧାର କାର୍ଡରେ ଟ୍ରାନ୍ସଜେଣ୍ଡର ବା ଟିଜି ମୋହର ଲାଗିଛି । ପଶ୍ଚିମବଙ୍ଗ ତଥା ବୋଧହୁଏ ଦେଶର ପ୍ରଥମ ବ୍ୟକ୍ତି ଭାବେ ଆଧାର କାର୍ଡରେ ତାଙ୍କ ଲିଙ୍ଗ ଟ୍ରାନ୍ସଜେଣ୍ଡର ବୋଲି ଉଲ୍ଲେଖ କରାଯାଇଛି । ଅନୁପ୍ରଭା କହିଛନ୍ତି ଏଥିପାଇଁ ମୁଁ ବହୁତ ଖୁସି । କାରଣ ଏହା ତୃତୀୟ ଲିଙ୍ଗକୁ ସ୍ବୀକୃତି ।

ତାଙ୍କ ପରିଚୟ ନେଇ ଅନୁପ୍ରଭା ଦାସ ମଜୁମଦାରଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା | ବାୟୋଲୋଜିକାଲ ଭାବେ ପୁରୁଷ ଅନୁପ ଦାସ ମଜୁମଦାର ହେଉଛନ୍ତି ଟ୍ରାନ୍ସଜେଣ୍ଡର । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଆଧାର କାର୍ଡରେ ତାଙ୍କର ପ୍ରକୃତ ନାମ ଅଚିନ୍ତା ଦାସ ମଜୁମଦାର ଏବଂ କାର୍ଡରେ ଥିବା ଲିଙ୍ଗ ସ୍ତମ୍ଭରେ ‘ପୁରୁଷ’ ଉଲ୍ଲେଖ ରହିଥିଲା |

ତେବେ ଅନୁପ୍ରଭା ଚାହୁଁଥିଲେ ଟ୍ରାନ୍ସଜେଣ୍ଡର ଟ୍ୟାଗ୍ ତାଙ୍କ ଲିଙ୍ଗ ସ୍ତମ୍ଭରେ ଯୋଡ଼ା ଯାଉ। ଏହି ପ୍ରକ୍ରିୟା ଜୁଲାଇରୁ ଆରମ୍ଭ ହୋଇଥିଲା ଯେତେବେଳେ ୟୁଆଇଡିଏଆଇ ଯାଞ୍ଚ୍ ପାଇଁ ବୈଧ ସହାୟକ ଦସ୍ତାବିଜ ଭାବେ ଟିଜି ଆଇଡି କାର୍ଡ ସାମିଲ କରିଥିଲା |

ଅନୁପ୍ରାଭା ମେ ମାସରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟରୁ ତାଙ୍କ ଟିଜି କାର୍ଡ ଗ୍ରହଣ କରିଥିଲେ ଏବଂ ୟୁଆଇଡିଏଆଇ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ଏକ ନୂଆ ଆଧାର ପାଇଁ ଆବେଦନ କରିଥିଲେ।

ସେ କହିଛନ୍ତି ଯେ ମୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲି କାରଣ ମୋର ପୁରୁଣା ଆଧାରରେ ମୋର ଲିଙ୍ଗ ପୁରୁଷ ଭାବରେ ଉଲ୍ଲେଖ କରାଯାଇଥିଲା | ବର୍ତ୍ତମାନ ନୂଆ କାର୍ଡରେ ମୋର ନାମ ଏବଂ ଲିଙ୍ଗ ସହିତ ମୁଁ ପରିଚିତ ହେଉଛି | ମୁଁ ବହୁତ ଖୁସି କାରଣ ଏହାର ଅର୍ଥ ତୃତୀୟ ଲିଙ୍ଗର ସ୍ବୀକୃତି |

Comments are closed.