ବିଜେଡିରେ ଯୋଗ ଦେଲେ ଗୋପାଳପୁର ଅଞ୍ଚଳର ୨ ଶହରୁ ଊର୍ଦ୍ଧ୍ବ ବିଜେପି ନେତା, କର୍ମୀ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଦେଲାଣି ବିଜେଡି। ଗଞ୍ଜାମ ଜିଲ୍ଲାର ଯେଉଁ କେତୋଟି ନିର୍ବାଚନମଣ୍ଡଳୀ ଫୋକସ୍‌ରେ ରହିଛି ସେଥିରୁ ଅନ୍ୟତମ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଏ ନେଇ ଦଳୀୟ ନେତା ଓ କର୍ମୀ ମହଲରେ ତତ୍ପରତା ଦେଖାଦେଇଛି। ଚଳିତ ବର୍ଷ ଶେଷ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ବର୍ଷକ ପରେ ହେବାକୁ ଥିବା ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି କୁହାଯାଉଥିଲା। ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ମଜବୁତ ବାଜିମାତ୍ କରିବା ପରେ ଏବେ ୨୦୨୪ ନିର୍ବାଚନରେ ମଧ୍ୟ ବିରୋଧୀଙ୍କୁ ଚିତପଟାଙ୍ଗ କରି ବିଜୟ ହାସଲ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ଆସ୍ଥା ହାସଲ କରିଥିବା ତାଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶଙ୍କ ନେତୃତ୍ବରେ ଏହି ନିର୍ବାଚନମଣ୍ଡଳୀରେ ପୁଣି ଜବରଦସ୍ତ ଶଙ୍ଖନାଦ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ଶାସକ ଦଳ ନେତୃବୃନ୍ଦ ଓ କର୍ମୀ।

ପ୍ରତ୍ୟକ୍ଷ ଭୋଟ ଲଢ଼େଇକୁ ଓହ୍ଲାଇବା ପୂର୍ବରୁ ତୃଣମୂଳସ୍ତରରେ ଆହୁରି ବଳ ଗୋଟାଇବାରେ ଲାଗିଛି ବିଜୁ ଜନତା ଦଳ। ବିଜୟ ରଣନୀତିର ଏକ ଅଂଶ ହେଉଛି ବିରୋଧୀଙ୍କୁ ଦୁର୍ବଳ କରି ସେମାନଙ୍କ ମନୋବଳକୁ ହ୍ରାସ କରିବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ, ଜନାଭିମୁଖୀ ନୀତି ଓ ଆଦର୍ଶ ଏବଂ ଲୋକକଲ୍ୟାଣକାରୀ ଯୋଜନାରେ ପ୍ରଭାବିତ ହୋଇ ଯେତେବେଳେ ଅନ୍ୟ ଦଳର ନେତା, କର୍ମୀ ବିଜେଡିରେ ଯୋଗଦେବାକୁ ଆଗେଇ ଆସୁଛନ୍ତି। ସେମାନଙ୍କୁ ଶାସକ ଦଳରେ ସାମିଲ କରାଇ ବିଜେଡିକୁ ଗାଁ ଗାଁରେ, ସମସ୍ତ ସହରାଞ୍ଚଳରେ ତୃଣମୂଳସ୍ତରରୁ ସଶକ୍ତ କରାଇବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଦାଶ। ବୁଧବାର ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟରେ ଏକ ବିଶାଳ ମିଶ୍ରଣ ପର୍ବ ହୋଇଥିଲା। ଡ. ଦାଶଙ୍କ ତତ୍ତ୍ଵାବଧାନରେ ଗୋପାଳପୁର ନିର୍ବାଚନମଣ୍ଡଳୀର ପ୍ରାୟ ଦୁଇ ଶହରୁ ଅଧିକ ନେତା ଓ କର୍ମୀ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି। ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ବିଜେଡି ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ ଏହି ଅବସରରେ ଡ. ଦାଶଙ୍କ ସହ ସେମାନଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ। ସମସ୍ତେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା, ଏକାଠି ଦଳ ପାଇଁ କାମ କରିବା ସହ ପାର୍ଟିକୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ ଡ. ଦାଶ, ଡା ଚ୍ୟାଉପଟ୍ଟନାୟକ ଓ ଶ୍ରୀ ମଲ୍ଲିକ।

ସ୍ବତଃପ୍ରବୃତ୍ତ ଭାବେ ବିଜେଡିରେ ଯୋଗଦାନ କରିଥିବା ନେତା, କର୍ମୀଙ୍କ ମଧ୍ୟରେ ହୁଗୁଳାପଟ୍ଟା, କରାପଲ୍ଲୀ, ଲୋଚାପଡ଼ା ଆଦି ପଞ୍ଚାୟତର ବହୁ ପୁରୁଷ ଓ ମହିଳା ଥିଲେ। ଦଳ ମୁଖ୍ୟଙ୍କ ଉନ୍ନତିମୂଳକ ସୁଶାସନର ଏହା ପ୍ରତିଫଳନ ଥିଲା ଯେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିରୋଧୀ ଲଗାତାର ଦୁର୍ବଳ ହୋଇ ଚାଲିଥିବା ବେଳେ ବିଜେଡି କ୍ରମାଗତ ଭାବେ ତାର ଶକ୍ତି ବୃଦ୍ଧି କରି ଚାଲିଛି।

ଉଲ୍ଲେଖଯୋଗ୍ୟ ଯେ ସାଧାରଣ ଲୋକଙ୍କ ସମେତ ନିଯୁକ୍ତି ଆଶାୟୀ ଯୁବ ଗୋଷ୍ଠୀଙ୍କୁ ଠକିଥିବା ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ତଡ଼ା ଖାଇଥିଲେ। ନିର୍ବାଚନର ସାଢ଼େ ୩ ବର୍ଷ ପରେ ସତେ ଯେମିତି ତାଙ୍କ ଚେତନା ଉଦୟ ହୋଇଛି, ସେହି ଆଳ ଦେଖାଇ ସେ ଏବେ ଗୋପାଳପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିବା ଦେଖିବାକୁ ମିଳିଛି। ଏପରିକି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ପଛାଉ ନାହାନ୍ତି ସେ। ତେବେ ଲୋକେ କାହାର ମିଥ୍ୟା ପ୍ରତିଶ୍ରୁତିରେ ଭାସି ନଯାଇ, ବାସ୍ତବତାକୁ ନିଜେ ପରଖିବା ସହ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଛ ଛବି, ସୁଶାସନ, ଲୋକକଲ୍ୟାଣକାରୀ ଶାସନକୁ ନଜରରେ ରଖି ବିଜେଡି ପ୍ରତି ନିଜ ସମର୍ଥନ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ଡ. ଦାଶ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ବିଧାନସଭା କ୍ଷେତ୍ରର ମଙ୍ଗ ଧରିଥିବା ଡ. ଗୋପବନ୍ଧୁ ଦାଶ ପୂର୍ବରୁ ମଧ୍ୟ ପଞ୍ଚାୟତ ଓ ପୌର ନିର୍ବାଚନ ବେଳକୁ ବିଜେଡିକୁ ଅଧିକ ପ୍ରସାର କରାଇ ସଫଳତା ଆଣି ଦେଇଥିଲେ। ତୃଣମୂଳସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ କର୍ମୀଙ୍କ ଭରସାର ନେତା ସାଜିଥିବା ଡ. ଦାଶ ପ୍ରଦୀପଙ୍କ ବିକଳ୍ପ ସାଜି ପାର୍ଟି ସକାଶେ ନିଃସ୍ବାର୍ଥପର ଓ ନିଷ୍ଠାପର ଭାବେ କାମ କରୁଥିବା କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ମଲ୍ଲିକ। ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗୋପାଳପୁରରେ ବିକାଶ କାର୍ଯ୍ୟ ଆଗକୁ ଅଧିକ ହେବ ସେଥିପାଇଁ ଗୋପାଳପୁରବାସୀ ବିଜେଡି ପ୍ରତି ନିଜ ସମର୍ଥନ ପ୍ରକାଶ କରି ନବୀନ ବାବୁଙ୍କ ହାତ ମୁଠାକୁ ଆହୁରି ଟାଣ କରନ୍ତୁ ବୋଲି ଏହି ଅବସରରେ ପରାମର୍ଶ ଦେଇଛନ୍ତି ଡ. ଦାଶ।

ସେପଟେ ନବାଗତ ବିଜେଡି ନେତା ଓ କର୍ମୀମାନେ ଗୋଟିଏ ସ୍ବରରେ ପ୍ରକାଶ କରିଛନ୍ତି ଯେ ଗୋପାଳପୁର ଅଞ୍ଚଳରେ ବିରୋଧୀ ଦୁର୍ଗ ଧସିବାରେ ଲାଗିଛି। ଡ. ଦାଶଙ୍କ ନେତୃତ୍ବ ଧିରେ ଧିରେ ଏହି ନିର୍ବାଚନମଣ୍ଡଳୀରେ ତାର ଜଲୱା ଦେଖାଉଛି। ପଞ୍ଚାୟତ ନିର୍ବାଚନରେ ଦୁଇ ଦଶନ୍ଧିର ଇତିହାସକୁ ଭାଙ୍ଗି ସମସ୍ତ ଜିଲ୍ଲା ପରିଷଦ ଜୋନ୍ ହାତେଇବା ସହ ଅଧିକାଂଶ ପଞ୍ଚାୟତରେ ଦଳକୁ ବିଜୟ ଆଣି ଦେଇଥିଲେ ଡ. ଦାଶ। ସେହିପରି ପୌର ନିର୍ବାଚନରେ ପୂର୍ବ ବିଜୟର ସଫଳତାକୁ ଦୋହରାଇ ଥିଲା ବିଜେଡି। ଏହା ପଛର ବିନ୍ଧାଣୀ ଥିବା ଡ. ଗୋପବନ୍ଧୁ ଦାଶଙ୍କ ନେତୃତ୍ବରେ ଗୋପାଳପୁର ବିଜେଡି ୨୦୨୪ ନିର୍ବାଚନର ସମ୍ମୁଖୀନ ହେବାକୁ ଯୋଜନାବଦ୍ଧ ତଥା ସଙ୍ଗଠିତ ଭାବେ ଆଗକୁ ବଢ଼ି ଚାଲିଛି। ଗୋଟିଏ ପରେ ଗୋଟିଏ ମିଶ୍ରଣ ପର୍ବ ସହ ଗାଁ ଗାଁରେ ବିଜେଡିର ଶକ୍ତିବୃଦ୍ଧି ଏହାର ପ୍ରମାଣ ଦେଉଛି।

Comments are closed.