ପଞ୍ଚଭୂତରେ ଲୀନ ହେଲେ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହୋଇଛନ୍ତି କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ। ଗୁରୁବାର ଦିଲ୍ଲୀର ନିଗମବୋଧ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ଭାଇ ଓ ପୁଅ ରାଜୁ ଶ୍ରୀବାସ୍ତବଙ୍କୁ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ସହ ହାସ୍ୟାଭିନେତା ସୁନୀଲ ପାଲ, ଏହସାନ କୁରେଶୀ, ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକରଙ୍କ ସମେତ ଅନେକ ସେଲିବ୍ରିଟି ଉପସ୍ଥିତ ରହି ତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ ।

ରାଜୁ ଶ୍ରୀବାସ୍ତବଙ୍କ ଅନ୍ତିମ ଯାତ୍ରା ଆଜି ସକାଳ ୯:୩୦ରେ ତାଙ୍କ ଭାଇଙ୍କ ଘର ଦିଲ୍ଲୀର ଦ୍ୱାରକା ଠାରୁ ଆରମ୍ଭ ହୋଇଥିଲା । ଏଥିରେ ସେଲିବ୍ରିଟିଙ୍କ ସହ ବହୁ ସଂଖ୍ୟାରେ ରାଜୁଙ୍କ ପ୍ରଶଂସକ ମଧ୍ୟ ସାମିଲ ହୋଇଥିଲେ ।

ଦେଢ଼ ମାସରୁ ଅଧିକ ଦିନ ଧରି ସଂଘର୍ଷ ପରେ ବୁଧବାର ରାଜୁ ଶ୍ରୀବାସ୍ତବଙ୍କ ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିଲା । ଅଗଷ୍ଟ ୧୦ରେ ବ୍ୟାୟାମ କରୁଥିବାବେଳେ ସେ ହୃଦଘାତର ଶିକାର ହୋଇଥିଲେ । ତା’ ପରଠୁ ଏହି କମେଡି କିଙ୍ଗ୍ ୪୨ ଦିନ ଧରି ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ ।

ରାଜୁ ଶ୍ରୀବାସ୍ତବ ୮୦ ଦଶକରୁ ମନୋରଞ୍ଜନ ଜଗତରେ ସକ୍ରିୟ ରହିଥିଲେ । ତେବେ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲଫ୍ଟର ଚ୍ୟାଲେଞ୍ଜ’ର ପ୍ରଥମ ସିଜନରେ ଭାଗ ନେବା ପରେ ସେ ଲୋକପ୍ରିୟ ହୋଇଥିଲେ। ସେ ‘ମୈନେ ପ୍ୟାର୍ କିୟା’, ‘ବମ୍ବେ ଟୁ ଗୋଆ’ ଏବଂ ‘ଅମଦାନୀ ଅଠନ୍ନୀ ଖର୍ଚ୍ଚ ରୂପୈୟା’ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଶ୍ରୀବାସ୍ତବ ‘ବିଗ୍ ବସ୍’ ସିଜନ୍-୩ରେ ବି ଭାଗ ନେଇଥିଲେ। ପରେ ସେ ରାଜନୀତିରେ ପାଦ ଦେଇଥିଲେ । ରାଜୁ ଶ୍ରୀବାସ୍ତବ ଉତ୍ତର ପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ସଭାପତି ଥିଲେ‌‌।

Comments are closed.