ସୁରଟରେ ହତ୍ୟା, ପୁରୁଷୋତ୍ତମପୁରରୁ ୨୧ ବର୍ଷ ପରେ ଗିରଫ

ଛତ୍ରପୁର: ୨୦୦୧ ମସିହାରେ ଗୁଜରାଟ ରାଜ୍ୟ ସୁରଟ ଜିଲ୍ଲା ପାଣ୍ଡସରା ଥାନା ଇଲାକାରେ ଘଟିଥିଲା ଏକ ହତ୍ୟାକାଣ୍ଡ। ହେଲେ ଦୀର୍ଘ ୨୧ ବର୍ଷ ପରେ ଉକ୍ତ ହତ୍ୟାକାଣ୍ଡର ଅଭିଯୁକ୍ତକୁ ସୁରଟ ପୋଲିସ ଶନିବାର ପୁରୁଷୋତ୍ତମପୁର ପୋଲିସ ସହାୟତାରେ ଗିରଫ କରିଛି। ଅଭିଯୁକ୍ତ ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଉଁଶିଆ ଗ୍ରାମର ଶଙ୍କର ବେହେରା। ତାଙ୍କୁ ପୋଲିସ ଶ୍ଵଶୁର ଗାଁ ପୁରୁଷୋତ୍ତମପୁର ସହର ଗଡ଼ ସାହି ନିକଟ ନୂଆ ସାହିରୁ ଗିରଫ କରିଛି।

ଶଙ୍କର ୨୦୦୧ ମସିହାରେ ସୁରଟରେ ରହି କାମ କରୁଥିଲା। ସେଠାକାର ପାଣ୍ଡସରା ଥାନା ଇଲାକାରେ ଜଣେ ବ୍ୟକ୍ତିଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ସେଠାରୁ ଚମ୍ପଟ ମାରିଥିଲା। ଲୁଚି ଆସି ଶ୍ବଶୁର ଗାଁ ପୁରୁଷୋତ୍ତମପୁରରେ ଆତ୍ମଗୋପନ କରିଥିଲା। କୌଣସି ମତେ ପୋଲିସ ଆଖିରେ ଏତେ ବର୍ଷ ଧୂଳି ଦେବାରେ ସକ୍ଷମ ହୋଇଥିଲା ସେ। ତେବେ ବର୍ତ୍ତମାନ ସୁରଟ ପୋଲିସ କୌଣସି ସୂତ୍ରରୁ ହତ୍ୟା ଅଭିଯୁକ୍ତ ଶଙ୍କର ପୁରୁଷୋତ୍ତମପୁର ସହରରେ ଥିବା ସୂଚନା ପାଇ ସେଠାକୁ ଆସି ସ୍ଥାନୀୟ ପୋଲିସ ସହଯୋଗରେ ଚଢଉ କରି ଗିରଫ କରିବାରେ ସକ୍ଷମ ହୋଇଛି। ସ୍ଥାନୀୟ କୋର୍ଟରେ ହାଜର କରି ରିମାଣ୍ଡରେ ଶଙ୍କରଙ୍କୁ ସୁରଟ ନେଇ ତଦନ୍ତ କରିବ ଗୁଜରାଟ ପୋଲିସ।

Comments are closed.