କୋହଲି-ସୂର୍ଯ୍ୟ ଚମକ: ଭାରତ ସିରିଜ୍ ବିଜୟୀ

ହାଇଦ୍ରାବାଦ: ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ରବିବାର ଏଠାରେ ଅନୁଷ୍ଠିତ ରୋମାଞ୍ଚକ ତୃତୀୟ ଟି୨୦ରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଛି । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ୨-୧ରେ ଜିତି ନେଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା । ଏହାର ଜବାବରେ ଭାରତ ଗୋଟିଏ ବଲ୍ ବାକି ଥାଇ ରୋମାଞ୍ଚକ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଓ କୋହଲି ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ । ସୂର୍ଯ୍ୟକୁମାର ମାତ୍ର ୩୬ଟି ବଲରେ ୫ଟି ଚୌକା ଓ ୫ଟି ଛକା ସହ ଧୂଆଁଧାର ୬୯ ରନ୍ କରିଥିବା ବେଳେ କୋହଲି ୪୮ଟି ବଲରେ ୩ଟି ଚୌକା ଓ ୪ଟି ଛକା ସହ ୬୩ ରନ୍ କରିଥିଲେ ।

ଭାରତ ୧୮୭ ରନର ବିଜୟଲକ୍ଷ୍ୟ ଜବାବରେ ଶୀଘ୍ର ଦୁଇ ଓପନର ରାହୁଲ (୧) ଓ କ୍ୟାପଟେନ ରୋହିତ (୧୭)ଙ୍କ ୱିକେଟ୍ ହରାଇଥିଲା । ହେଲେ କୋହଲି ଓ ସୂର୍ଯ୍ୟକୁମାର ତୃତୀୟ ୱିକେଟରେ ୧୦୪ ରନ୍ ଭାଗିଦାରୀ ସହ ଦଳର ବିଜୟ ପଥ ସୁଗମ କରିଥିଲେ । ତେବେ ସୂର୍ଯ୍ୟକୁମାର ଆଉଟ୍ ହେବା ପରେ ଭାରତର ରନ୍ ଗତି ଧିମେଇ ଯାଇଥିଲା ଓ ମ୍ୟାଚ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଥିଲା । ଶେଷ ଓଭରରେ ଭାରତକୁ ବିଜୟ ପାଇଁ ୧୧ ରନ୍ ଆବଶ୍ୟକ ହେଉଥିଲା ବେଳେ ଡାନିଏଲ ସାମ୍ସଙ୍କ ପ୍ରଥମ ବଲରେ କୋହଲି ଏକ ବିଶାଳ ଛକା ମାରିଥିଲେ । ତେବେ ଦ୍ୱିତୀୟ ବଲରେ ସେ ଆଉଟ୍ ହୋଇଯାଇଥିଲେ । ତୃତୀୟ ବଲରେ କାର୍ତ୍ତିକ ୧ ରନ୍ ନେଇଥିଲେ । ଚତୁର୍ଥ ବଲରେ ପାଣ୍ଡ୍ୟା କୌଣସି ରନ୍ କରିପାରିନଥିଲେ । ଦୁଇଟି ବଲରେ ୪ ରନ୍ ଦରକାର ହେଉଥିଲା ବେଳେ ପାଣ୍ଡ୍ୟା ୱିକେଟ କିପର ଓ ସ୍ଲିପ ମଝିରେ ଏକ ଚୌକା ଚୋରାଇ ଭାରତର ବିଜୟ ନିଶ୍ଚିତ କରିଥିଲେ ପାଣ୍ଡ୍ୟା ୧୬ଟି ବଲରେ ୨ଟି ଚୌକା ଓ ଗୋଟିଏ ଛକା ସହ ୨୫ ରନ୍ କରି ଅପରାଜିତ ରହିଥିଲେ ।

ପୂର୍ବରୁ ଭାରତ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଅଷ୍ଟ୍ରେଲିଆ ଆରମ୍ଭରୁ ବିସ୍ଫୋରକ ଆରମ୍ଭ କରିଥିଲା। ବିଶେଷ କରି କ୍ୟାମେରୁନ ଗ୍ରୀନ ଧୂଆଁଧାର ବ୍ୟାଟିଂ କରି ଭାରତର ଚିନ୍ତା ବଢାଇଥିଲେ। ୩.୩ ଓଭରରେ ୪୪ ରନର ଦଳୀୟ ସ୍କୋରରେ ଅଧିନାୟକ ଆରୋନ ଫିଞ୍ଚ(୭)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟପଟେ ଗ୍ରୀନ ଧୂଆଁଧାର ବ୍ୟାଟିଂ କରି ମାତର୍ ୧୯ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଗ୍ରୀନଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଦଳକୁ ବହୁତ ବଡ ସଫଳତା ଦେଇଥିଲେ। ଗ୍ରୀନ ମାତ୍ର ୨୧ ବଲ୍‌ରୁ ୭ ଚୌକା ଏବଂ ୩ ଛକା ସହ ୫୨ ରନ କରିଥିଲେ। ଏହା ପରେ କଙ୍ଗାରୁ ଦଳ ସଅଳ ଓ୍ଵିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିଲା ଏବଂ ଭାରତୀୟ ବୋଲର ଅଷ୍ଟ୍ରେଲିଆର ରନ ଗତି ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲେ।

ମ୍ୟାକ୍ସଓ୍ଵେଲ(୬) ରନ ଆଉଟ୍ ହୋଇଥିବା ବେଳେ ଷ୍ଟିଭ୍ ସ୍ମିଥ(୯) ଚହଲଙ୍କ ବଲ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଜୋସ୍ ଇଙ୍ଗ୍ଲିସ୍(୨୪) କରିଥିଲେ। ମାଥ୍ୟୁ ଓ୍ଵେଦ(୧)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଦଳକୁ ବଡ ସଫଳତା ଦେଇଥିଲେ। ୧୧୭ ରନରେ ୬ ଓ୍ଵିକେଟ୍ ହରାଇବାର ଅଷ୍ଟ୍ରେଲିଆର ରନ ଗତି ଧିମେଇ ଯାଇଥିଲା। ଏହା ପରେ ଟିମ୍ ଡେଭିଡ୍ ଏବଂ ଡାନିଏଲ ସାମ୍ସ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆର ସ୍ଥିତି ମଜବୁତ କରିଥିଲେ। ଡେଭିଡ୍ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୭ ବଲ୍‌ରୁ ୨ ଚୌକା ଏବଂ ୪ ଛକା ସହ ୫୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ସାମ୍ସ ୨୮ ରନରେ ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୬ ରନ୍ କରିଥିଲା । ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅକ୍ଷର ପଟେଲ୍ ୩୩ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ ।

Comments are closed.