ବିମୁଦ୍ରୀକରଣର ସାମ୍ବିଧାନିକ ବୈଧତା ଉପରେ ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିମୁଦ୍ରୀକରଣର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ପିଟିସନ ଉପରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିବେ। ସୁପ୍ରିମକୋର୍ଟର ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି କରିବେ। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ବିରୋଧରେ ଆସିଥିବା ସବୁ ଆବେଦନର ଶୁଣାଣି ସମ୍ବିଧାନ ପୀଠରେ ହେବ ।

ବିମୁଦ୍ରୀକରଣ ପ୍ରଥମ ମାମଲା ହେବ ଯାହାର ଶୁଣାଣି ସୁପ୍ରିମକୋର୍ଟରେ ଗଠିତ ନୂଆ ସମ୍ବିଧାନ ପୀଠ କରିବ। ବିମୁଦ୍ରୀକରଣକୁ ବିରୋଧ କରି ୨୦୧୬ରେ ଏକାଧିକ ପିଟିସନ ଦାୟର ହୋଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୫୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ କରିଦେଇଥିଲେ। ବିବେକ ନାରାୟଣ ଶର୍ମା ନାମକ ଜଣେ ବ୍ୟକ୍ତି ସରକାରଙ୍କ ଏହି ପଦକ୍ଷେପକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ଆବେଦନ ସହ ବିମୁଦ୍ରୀକରଣ ବିରୋଧରେ ଆହୁରି ୫୭ଟି ଆବେଦନ ଦାଖଲ ହୋଇଥିଲା। ବର୍ତ୍ତମାନ ଏସବୁ ଏକାଠି ଶୁଣାଣି ହେବ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ନଭେମ୍ବର ୨୦୧୬ରେ ରାତି ୮ ଟାରେ ସମଗ୍ର ଦେଶକୁ ସମ୍ବୋଧିତ କରି ସେତେବେଳେ ପ୍ରଚଳିତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ସେହି ଦିନ ରାତି ୧୨ଟାରୁ ଅଚଳ ହୋଇଯିବ ବୋଲି ଘୋଷଣା କରିଥିଲେ । ଏହା ପରେ ୫୦୦ ଟଙ୍କାର ଏକ ନୂଆ ସିରିଜ୍ ନୋଟ୍ ଜାରି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଭାରତରେ ୧୦୦୦ ଟଙ୍କାର ନୋଟ୍ ପ୍ରଚଳନ ବନ୍ଦ ଅଛି | ୧୦୦୦ ଟଙ୍କା ନୋଟ୍ ସ୍ଥାନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨,୦୦୦ ଟଙ୍କାର ଏକ ନୂଆ ସିରିଜ୍ ନୋଟ୍ ଜାରି କରିଥିଲେ।

ସୁପ୍ରିମକୋର୍ଟରେ ଏକ ନୂଆ ସମ୍ବିଧାନ ପୀଠ ଗଠନ କରାଯାଇଛି। ଯାହା ସାମ୍ନାରେ ବିମୁଦ୍ରୀକରଣର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ପିଟିସନର ଶୁଣାଣି ହେବ | ଏହି ସପ୍ତାହରେ ଏହା ହେଉଛି ଚତୁର୍ଥ ସମ୍ବିଧାନ ପୀଠ | ପ୍ରଧାନ ବିଚାରପତି ୟୁୟୁ ଲଲିତ ଅନ୍ୟ ଏକ ସମ୍ବିଧାନ ପୀଠ ଗଠନ କରିଛନ୍ତି। ଜଷ୍ଟିସ ଏସ ଅବଦୁଲ ନାଜିର ଏହାର ନେତୃତ୍ୱ ନେବେ। ଏହି ସମ୍ବିଧାନ ପୀଠର ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ୍ ବି.ଆର ଗାଭାଇ, ଜଷ୍ଟିସ୍ ଏସ୍ ବୋପାନ୍ନା, ଜଷ୍ଟିସ୍ ଭି ରାମା ସୁବ୍ରମଣ୍ୟମ୍ ଏବଂ ଜଷ୍ଟିସ୍ ବି.ଭି ନାଗରତ୍ନା। ଏହି ସମ୍ବିଧାନ ପୀଠରେ ମଧ୍ୟ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହେବ ।

Comments are closed.