ଜମ୍ମୁ-କାଶ୍ମୀର ଜେଲ ମହାନିର୍ଦ୍ଦେଶକ ହତ୍ୟା ମାମଲା: ଘରୋଇ ସହାୟକ ୟାସିର ଅହମ୍ମଦ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀର ଜେଲ ବିଭାଗ ପୋଲିସ ମହାନିର୍ଦ୍ଦେଶକ ହେମନ୍ତ କୁମାର ଲୋହିଆ ହତ୍ୟା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ୟାସିର ଅହମ୍ମଦଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି। ୟାସିରକୁ କଚାନକ ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସୋମବାର ରାତି ସାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସୂଚନାନୁସାରେ, ଅଭିଯୁକ୍ତ ୟାସିର ଅହମ୍ମଦ କଚାନକ ଅଞ୍ଚଳରେ ଲୁଚି ରହିଥିଲା ଏବଂ ଫେରାର ହେବା ପୂର୍ବରୁ ନିଜ ମୋବାଇଲ୍ ଫୋନ୍ ଫିଙ୍ଗି ଦେଇଥିଲା ।

ଜେଲ୍ ବିଭାଗର ମହାନିର୍ଦ୍ଦେଶକ ୧୯୯୨ ବ୍ୟାଚ୍ ଆଇପିଏସ୍‌ ଅଫିସର ହେମନ୍ତ ଲୋହିଆଙ୍କୁ ତାଙ୍କ ଜମ୍ମୁ ଉପକଣ୍ଠ ଉଦୟିୱାଲାସ୍ଥିତ ଘରେ ସୋମବାର ଗଳା କାଟି ହତ୍ୟା କରାଯାଇଥିଲା । ୫୭ ବର୍ଷୀୟ ଲୋହିଆ ଗତ ଅଗଷ୍ଟ ମାସରେ ଜେଲ୍ ବିଭାଗର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ ।

ଜମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଅଭିଯୁକ୍ତ ୟାସିର ଅହମ୍ମଦ ଜେଲ ବିଭାଗ ଡିଜି ହେମନ୍ତ କୁମାର ଲୋହିଆଙ୍କ ବାସଭବନରେ ଗତ ୬ ମାସ ଧରି ଘରୋଇ ସହାୟକ ଭାବେ କାମ କରୁଥିଲା। ଏହାପୂର୍ବରୁ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ମଧ୍ୟ ତାଙ୍କ ଫଟୋ ସର୍ବସାଧାରଣରେ ଲଗାଇଥିଲା ​​ଏବଂ ଅଭିଯୁକ୍ତଙ୍କ ବିଷୟରେ ସୂଚନା ପାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ କରିଥିଲା।

ପୋଲିସର ସୂଚନାନୁସାରେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ୟାସିର ଅହମ୍ମଦର ମାନସିକ ସ୍ଥିତି ଭଲ ନାହିଁ । ଅଭିଯୁକ୍ତ ଆକ୍ରମଣାତ୍ମକ ଏବଂ ଅବସାଦଗ୍ରସ୍ତ ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ୟାସିର ଅହମ୍ମଦ ଜମ୍ମୁର ରାମବାନ ବାସିନ୍ଦା ବୋଲି ପୋଲିସ କହିଛି ।

ଲୋହିଆଙ୍କ ହତ୍ୟା ପାଇଁ ଜୈଶ-ଏ-ମହମ୍ମଦ ସହ ଲିଙ୍କ ଥିବା ଆତଙ୍କବାଦୀ ସଂଗଠନ ପିଏଏଫ୍ଏଫ୍ ନିଜକୁ ଦାୟୀ କରିଛି। ତେବେ ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ କହିଛି ଯେ ଏହା ଆତଙ୍କବାଦୀ ଘଟଣା କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ କୌଣସି ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ପୋଲିସ କହିଛି।

Comments are closed.