ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ି ୮ ମୃତ, ଅନେକ ନିଖୋଜ

ଜଲପାଇଗୁଡି: ବିଜୟା ଦଶମୀ ଅବସରରେ ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲାର ମାଲ ନଦୀରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଅତି କମରେ ଆଠ ଜଣ ଲୋକ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ଆଉ କିଛି ଲୋକ ନିଖୋଜ ହୋଇଯାଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଜଲପାଇଗୁଡି ଜିଲ୍ଲାପାଳ ମୋମିତା ଗୋଦ୍ରା କହିଛନ୍ତି ଯେ ଘଟଣା ସମୟରେ ଶହ ଶହ ଲୋକ ବିସର୍ଜନ ପାଇଁ ମାଲ ନଦୀ କୂଳରେ ଏକାଠି ହୋଇଥିଲେ। ହଠାତ୍ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଲୋକ ଭାସି ଯାଇଥିଲେ। ଏପର୍ଯ୍ୟନ୍ତ ଆଠଟି ମୃତଦେହ ଉଦ୍ଧାର କରାଯାଇଛି । ସେ କହିଛନ୍ତି, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍, ଏସଡିଆରଏଫ, ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ନିୟୋଜିତ ଅଛନ୍ତି |

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, “ପଶ୍ଚିମବଙ୍ଗର ଜାଲପାଇଗୁଡିରେ ଦୁର୍ଗା ପୂଜା ଉତ୍ସବରେ ଘଟିଥିବା ଦୁର୍ଘଟଣାରେ ଦୁଃଖିତ। ଯେଉଁମାନେ ଆତ୍ମୀୟଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା।”

Comments are closed.