ଓଏଏସ୍ ପରୀକ୍ଷାରେ ମହିଳାଙ୍କ ଉଲ୍ଲେଖନୀୟ ସଫଳତା

ବ୍ରହ୍ମପୁର: ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ମୋଟ ୩୯୨ ଜଣ ଆଶାୟୀ କୃତକାର୍ଯ୍ୟ ହେଲେ। ସେମାନଙ୍କ ମଧ୍ୟରୁ ୧୪୮ ଜଣ ମହିଳା ରହିଛନ୍ତି। ଗତ ମାସ ୧୯ରୁ ୩୦ ତାରିଖ ମଧ୍ୟରେ ହୋଇଥିଲା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ଆୟୋଜିତ ଓଡ଼ିଶା ସିଭିଲ ସର୍ଭିସେସ୍ (ଓସିଏସ୍) ପରୀକ୍ଷା-୨୦୨୦। ଲିଖିତ ଓ ମୌଖିକ ତଥା ବ୍ୟକ୍ତିତ୍ବ ପରୀକ୍ଷା (ପର୍ସନାଲିଟି ଟେଷ୍ଟ) ଜରିଆରେ ଏମାନଙ୍କୁ ଯୋଗ୍ୟ ବିବେଚିତ କରି ଗ୍ରୁପ୍- ଏ ଓ ଗ୍ରୁପ୍- ବି ପଦବି ସକାଶେ ନାମ ପ୍ରସ୍ତାବ ଘୋଷଣା କରିଛନ୍ତି କମିଶନ୍ କର୍ତ୍ତୃପକ୍ଷ।

ଉଲ୍ଲେଖନୀୟ ଭାବେ ପୁରୁଣା ଭୁବନେଶ୍ୱରର ମୂଳ ବାସିନ୍ଦା ଜୁଲୋଜୀ ଡେମୋନ୍‌ଷ୍ଟ୍ରେଟର୍ ବିଜୟ କୁମାର ଦାଶ ଓ ଶିକ୍ଷୟିତ୍ରୀ ମନୋରମା ଦାଶଙ୍କ ସୁକନ୍ୟା ଶୁଭଙ୍କରି ସୁଦେଷ୍ନା ଦାଶ ଯେକି ବ୍ରହ୍ମପୁରରେ ରହି ଓସିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ ସେ ନିଜର ଦ୍ଵିତୀୟ ପ୍ରୟାସରେ ଦ୍ବିତୀୟ ରାଙ୍କ୍ ହାସଲ କରିଛନ୍ତି। ଓୟୁଏଟିରୁ ଭେଟେନାରୀ ଡିଗ୍ରୀ ସହ ପଶୁ ପ୍ରସୂତି ବିଭାଗରେ ପିଜି ଶିକ୍ଷା ପରେ ବ୍ରହ୍ମପୁରରେ ହିଁ ପଶୁ ଚିକିତ୍ସକ ଭାବେ ନିଯୁକ୍ତି ପାଇଥିଲେ ସେ। ତେବେ ଉକ୍ତ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ତାଙ୍କୁ ମିଳିଛି ଓସିଏସ୍ ଦ୍ୱିତୀୟ ରାଙ୍କ୍ ହାସଲ କରିବାର ଏହି ଖୁସି ଖବର। ପ୍ରଥମ ଥର ପ୍ରିଲିମ୍ ପାସ୍ କରି ପାରିନଥିଲେ ହେଁ ତାଙ୍କ ମନୋବଳ ହ୍ରାସ ପାଇ ନଥିଲା, ବରଂ ଅଧିକ ଦୃଢ଼ତାର ସହ ସେ ପ୍ରୟାସ ଜାରି ରଖିଥିଲେ। ଆଉ ସଫଳତା ତାଙ୍କ ହାତକୁ ଆସିପାରିଛି। କାର୍ଯ୍ୟକ୍ଷେତ୍ରରେ ମହିଳା ଓ ଶିଶୁଙ୍କ ପ୍ରଗତି ସାଙ୍ଗକୁ ଶିକ୍ଷାର ବିକାଶ ପ୍ରତି ତାଙ୍କ ପ୍ରାଥମିକତା ରହିବ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶୁଭଙ୍କରି ସୁଦେଷ୍ନା।

ନିଷ୍ଠା ଓ ଅଧ୍ୟବସାୟ ହିଁ ସଫଳତାର ଚାବି କାଠି ବୋଲି କହିଛନ୍ତି ଓସିଏସ୍ ପରୀକ୍ଷାରେ ସପ୍ତମ ରାଙ୍କ୍ ହାସଲ କରିଥିବା ଫୁଲବାଣୀର ଫାର୍ମାସିଷ୍ଟ ଦୁର୍ଯ୍ୟୋଧନ ରଥ ଓ ସୁମତି ରଥଙ୍କ ସୁକନ୍ୟା ଶୁଭଶ୍ରୀ ରଥ। ତୃତୀୟ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରିଛନ୍ତି ଶୁଭଶ୍ରୀ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ ମତ୍ସ୍ୟ ବିଜ୍ଞାନ ବିଭାଗରୁ ଅଧ୍ୟୟନ ପରେ ସମ୍ପ୍ରତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଡାଟା ମ୍ୟାନେଜର୍ ଭାବେ କାର୍ଯ୍ୟରତ ଅଛନ୍ତି ଶୁଭଶ୍ରୀ ରଥ।

ଗଞ୍ଜାମ ଜିଲ୍ଲା ପାତ୍ରପୁରର ସ୍ବର୍ଗତ ବାୟା ଜେନାଙ୍କ କନିଷ୍ଠ ସନ୍ତାନ ତଥା ଏକମାତ୍ର ଝିଅ ତୃପ୍ତିମୟୀ ଜେନା ଓସିଏସ୍ ପରୀକ୍ଷାରେ ୩୨ତମ ସ୍ଥାନରେ ରହିଛନ୍ତି। ମଧ୍ୟବିତ୍ ପରିବାରରେ ଜନ୍ମିତ, ପିଲାଟି ଦିନରୁ ବାପା ଛେଉଣ୍ଡ ତୃପ୍ତିମୟୀ ଏଗ୍ରିକଲଚର୍ ୟୁନିଭର୍ସିଟିରେ ଅଧ୍ୟୟନ ସହ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚୟୁ)ରୁ ପିଜି ଡିଗ୍ରୀ ହାସଲ କରିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଅନେକ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ଭାଗଚାଷୀଙ୍କ ପୁଅ, ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ କେବେ କୋଚିଂ କରିବା ତାଙ୍କ ପାଇଁ ସମ୍ଭବପର ହୋଇ ନଥିଲା। ହେଲେ କଠୋର ପରିଶ୍ରମ ବଳରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍‌ ନୂତନ କନ୍ଧଖରିଡାର ସନ୍ତୋଷ କୁମାର ବାରିକ ଓସିଏସ୍ ପରୀକ୍ଷାରେ ୭୫ତମ ସ୍ଥାନ ହାସଲ କରିଛନ୍ତି। ପିତା ଭଗବାନ ବାରିକଙ୍କ ସୁପୁତ୍ର ସନ୍ତୋଷ ଏମ୍ଏସ୍‌ସି, ବିଏଡ୍ ଶିକ୍ଷା ହାସଲ ପରେ ଘରେ ରହି ଦିନକୁ ୧୨ ଘଣ୍ଟା କାଳ ପରିଶ୍ରମ କରି ଓସିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ।

ମୋଟାମୋଟି ଭାବେ ପ୍ରାୟ ୪୦ ପ୍ରତିଶତ ମହିଳା ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ଏକ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତୀକରଣ ଅଭିଯାନର ସୁଫଳ ରାଜ୍ୟବାସୀଙ୍କୁ ଏବେ ମିଳିବାରେ ଲାଗିଛି ବୋଲି କହିହେବ। ସମସ୍ତ ସଫଳ ଆଶାୟୀଙ୍କୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.