ପୁଣି ଚର୍ଚ୍ଚାରେ ‘ବନ୍ଦେ ଭାରତ ଏକ୍ସପ୍ରେସ’, ଏଥର ଚକା ଜାମ୍ ଯୋଗୁଁ ଅଧା ବାଟରେ ଅଟକିଲା, ଯାତ୍ରୀ ହଟହଟା

ନୂଆଦିଲ୍ଲୀ: କେଉଁଠି ମଇଁଷି ପଲ ତ ଆଉ କେଉଁଠି ବାଛୁରୀ ସହ ଧକ୍କା ହେବା ଯୋଗୁଁ ଗତ ତିନି ଦିନ ଧରି ଖବରରେ ରହିଥିବା ନୂଆ ସେମି ହାଇ ସ୍ପିଡ୍ ଟ୍ରେନ୍ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଶନିବାର ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । ବେରିଂରେ ତ୍ରୁଟି ଯୋଗୁଁ ଆଜି ଟ୍ରେନର ଚକଗୁଡିକ ଜାମ୍ ହୋଇଯାଇଥିଲା | ନୂଆଦିଲ୍ଲୀ-ବାରାଣସୀ ମାର୍ଗରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ୍ (ଟ୍ରେନ୍ ନମ୍ବର ୨୨୪୩୬)ରେ ଏଭଳି ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିଛି। ଏହି କାରଣରୁ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଉତ୍ତର କେନ୍ଦ୍ରୀୟ ରେଳବାଇର ଦନକୌର ଏବଂ ବେୟାର ଷ୍ଟେସନ ମଧ୍ୟରେ ବନ୍ଦେ ଭାରତ ଟ୍ରେନର ସି-୮ କୋଚର ଟ୍ରାକ୍ସନ୍ ମୋଟର ବେରିଂରେ ବଡ଼ ତ୍ରୁଟି ଦେଖାଦେଇଥିଲା | ଏହା ପରେ ଖୁରଜା ଷ୍ଟେସନରେ ଶତାବ୍ଦୀ ଟ୍ରେନ୍ ଦ୍ୱାରା ଯାତ୍ରୀମାନଙ୍କୁ ପଠାଯାଇଥିଲା | ଏହି କାରଣରୁ ଟ୍ରେନ୍ ନିର୍ଦ୍ଧାରିତ ସମୟଠାରୁ ବହୁତ ବିଳମ୍ବରେ ଚାଲୁଛି |

ଟ୍ରେନରେ ଯାନ୍ତ୍ରିକ ତ୍ରୁଟି ବିଷୟରେ ସୂଚନା ପାଇବା ପରେ ଏଡିଆରଏମ୍ ଦିଲ୍ଲୀ ତାଙ୍କ ଟିମ୍ ସହ ଟ୍ରେନ୍ ଯାଞ୍ଚ କରିଥିଲେ | ଏହା ପରେ ଏନଆରସି ଦଳ ସହାୟତାରେ ବେରିଂ ଜାମ୍ ଠିକ୍ କରାଯାଇଥିଲା | ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରେନକୁ ୨୦ କିଲୋମିଟର ବେଗରେ ଖୁରଜା ଷ୍ଟେସନକୁ ଅଣାଯାଇଥିଲା।

Comments are closed.