ନୋବେଲ ପୁରସ୍କାର ବିଜେତାଙ୍କୁ ପୋଖରୀରେ ଫିଙ୍ଗିଲେ, ଭିଡ଼ିଓ ଭାଇରାଲ

ଷ୍ଟକହୋମ: ଏବେ ସବୁଠି ନୋବେଲ ପୁରସ୍କାରକୁ ନେଇ ଚର୍ଚ୍ଚା | ଚଳିତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ଏହି ସମ୍ମାନଜନକ ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ମେଡିସିନ୍ ରେ ଚଳିତ ବର୍ଷ ନୋବେଲ ପୁରସ୍କାର ସ୍ଵିଡେନ ବୈଜ୍ଞାନିକ ସ୍ବାନ୍ତେ ପାବୋଙ୍କୁ ‘ମଣିଷର ବିବର୍ତ୍ତନ’ ଉପରେ ଗବେଷଣା ପାଇଁ ପ୍ରଦାନ କରାଯାଇଛି। ପୁରସ୍କାର ଘୋଷଣା ସହିତ ପାବୋଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ତାଙ୍କ ସାଥୀମାନେ ତାଙ୍କୁ ଟେକି ପୋଖରୀରେ ଫିଙ୍ଗୁଥିବା ଦେଖିବାକୁ ମିଳୁଛି ।

ଏହି ଭିଡିଓ ନୋବେଲ ପୁରସ୍କାରର ଟ୍ୱିଟର ହ୍ୟାଣ୍ଡେଲରୁ ହିଁ ସେୟାର କରାଯାଇଛି। ଭିଡିଓ ସେୟାର କରାଯିବା ସହ ଏଥିରେ ଲେଖାଯାଇଛି, ସ୍ବାନ୍ତେ ପାବୋ ନୋବେଲ ପୁରସ୍କାର ଜିତିବା ନେଇ ତାଙ୍କ ସହକର୍ମୀମାନେ ପାରମ୍ପରିକ ଢଙ୍ଗରେ ଖୁସି ମନାଉଛନ୍ତି। ବାସ୍ତବରେ ମ୍ୟାକ୍ସ ପ୍ଲାଙ୍କ୍ ଇନଷ୍ଟିଚ୍ୟୁଟରେ ଏପରି ପରମ୍ପରା ରହିଛି । ଯେଉଁମାନେ ଏହି ସଂସ୍ଥାରୁ ପିଏଚଡି ଡିଗ୍ରୀ ହାସଲ କରନ୍ତି ସେମାନଙ୍କୁ ପୋଖରୀରେ ପକାଇ ସେଲିବ୍ରସନ କରାଯାଏ | ଏବେ ପାବୋ ନୋବେଲ ପୁରସ୍କାର ପାଇବା ପରେ ମଧ୍ୟ ତାଙ୍କ ସହକର୍ମୀମାନେ ସମାନ ଢଙ୍ଗରେ ଖୁସି ମନାଇଛନ୍ତି ।

ଏହି ଭିଡିଓ କ୍ଲିପରେ ପାବୋଙ୍କୁ ତାଙ୍କର ତିନି ସହକର୍ମୀ ପୋଖରୀରେ ଫିଙ୍ଗି ଦେଉଥିବା ଦେଖିବାକୁ ମିଳୁଛି। ଖୁସିରେ ଚାରିଆଡ଼େ କରତାଳି ମଧ୍ୟ ଶୁଭୁଛି। ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍ ମଧ୍ୟ ଏହି ଉତ୍ସବର ଅନେକ ଫଟୋ ସେୟାର କରିଛି |

ପୁରସ୍କାର କମିଟି କହିଛି ଯେ ସ୍ବାନ୍ତେ ପାବୋଙ୍କ ଆବିଷ୍କାର “ଆମର ରୋଗ ପ୍ରତିରୋଧକ ପ୍ରଣାଳୀ ତଥା ବିଲୁପ୍ତ ପ୍ରଜାତି ତୁଳନାରେ ମନୁଷ୍ୟ କାହିଁକି ସ୍ୱତନ୍ତ୍ର ତାହାର କାରଣଗୁଡିକ ଉପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି। ନୋବେଲ କମିଟି ସଚିବ ଥୋମାସ ପର୍ଲମାନ ସୋମବାର ସ୍ୱିଡେନର ଷ୍ଟକହୋମ ସ୍ଥିତ କାରୋଲିନସ୍କା ପ୍ରତିଷ୍ଠାନରେ ମେଡିସିନରେ ଏହି ପୁରସ୍କାର ବିଜେତା ଭାବେ ୬୭ ବର୍ଷୀୟ ପାବୋଙ୍କ ନାମ ଘୋଷଣା କରିଥିଲେ ।

Comments are closed.