ଜଳବାୟୁ ଦୃଷ୍ଟିରୁ ୟୁକ୍ରେନ ଯୁଦ୍ଧ ‘ବରଦାନ’ ସାବ୍ୟସ୍ତ ହୋଇପାରେ: ବିଶ୍ବ ପାଣିପାଗ ବିଭାଗ ମୁଖ୍ୟ

ଜେନେଭା: ମିଳିତ ଜାତିସଂଘର ପାଣିପାଗ ବିଭାଗର ମୁଖ୍ୟ ପେଟେରୀ ଟାଲାସ କହିଛନ୍ତି ଯେ ଜଳବାୟୁ ଦୃଷ୍ଟିକୋଣରୁ ୟୁକ୍ରେନ ଯୁଦ୍ଧକୁ ‘ବରଦାନ’ ବୋଲି କୁହାଯାଇପାରେ । କାରଣ ଏହା ଦ୍ବାରା ସବୁଜ ଶକ୍ତିର ବିକାଶ ଏବଂ ଏଥିରେ ନିବେଶ ବୃଦ୍ଧି ପାଇବାରେ ଲାଗିଛି।

ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ମହାସଚିବ ଟାଲାସଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେଉଁ ସମୟରେ ବିଶ୍ଵ ଶକ୍ତି ସଙ୍କଟ ଦେଇ ଗତି କରୁଛି । ଏହାର ମୁଖ୍ୟ କାରଣ ହେଉଛି ତୈଳ ଏବଂ ପ୍ରାକୃତିକ ଗ୍ୟାସର ପ୍ରମୁଖ ଉତ୍ପାଦକ ରୁଷ ବିରୋଧରେ ଲାଗିଥିବା ଅର୍ଥନୈତିକ କଟକଣା ଏବଂ ଜୀବାଶ୍ମ ଇନ୍ଧନର ମୂଲ୍ୟ ବୃଦ୍ଧି।

ଏହା ଦ୍ବାରା କେତେକ ଦେଶ କୋଇଲା ଭଳି ବିକଳ୍ପ ଉତ୍ସର ବ୍ୟବହାର ବଢ଼ାଇ ଦେଇଛନ୍ତି। କିନ୍ତୁ ତୈଳ, ଗ୍ୟାସ ଏବଂ କୋଇଲା ସମେତ କାର୍ବନ ସୃଷ୍ଟି କରୁଥିବା ଇନ୍ଧନର ମୂଲ୍ୟ ବୃଦ୍ଧି ସୌର, ପବନ ଏବଂ ହାଇଡ୍ରୋଥର୍ମାଲ ଭଳି ମହଙ୍ଗା ଅକ୍ଷୟ ଶକ୍ତି ଗୁଡ଼ିକୁ ଶକ୍ତି ବଜାରରେ ଅଧିକ ପ୍ରତିଦ୍ବନ୍ଦିତା ମୂଳକ କରିଛି ।

ୟୁକ୍ରେନ ଯୁଦ୍ଧ ୟୁରୋପୀୟ ଶକ୍ତି କ୍ଷେତ୍ର ପାଇଁ ଏକ ଶକ୍ତ ଧକ୍କା ବୋଲି ଟାଲାସ କହିଛନ୍ତି। ସେ କହିଛନ୍ତି ଯେ ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ଯେ ୟୁକ୍ରେନରେ ଏହି ଯୁଦ୍ଧ ଜୀବାଶ୍ମ ଶକ୍ତି ବ୍ୟବହାରକୁ ବୃଦ୍ଧି କରିବ ଏବଂ ଏହା ସବୁଜ ସମ୍ବଳ ଆଡ଼କୁ ଆମ୍ଭମାନଙ୍କର ଗତିକୁ ତ୍ୱରାନ୍ୱିତ କରୁଛି।

ସେ କହିଛନ୍ତି ଯେ ଅକ୍ଷୟ ଶକ୍ତି, ଶକ୍ତି ସଞ୍ଚୟ ପଦକ୍ଷେପ ପାଇଁ ଆମେ ଅଧିକ ନିବେଶ କରିବୁ।

ଜଳବାୟୁ ଦୃଷ୍ଟିକୋଣରୁ ୟୁକ୍ରେନ ଯୁଦ୍ଧକୁ ବରଦାନ ଭାବେ ଦେଖାଯିବ ବୋଲି ଟାଲାସ କହିଛନ୍ତି।

Comments are closed.