ହିଜାବ ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଭିନ୍ନ ମତ, ପ୍ରଧାନ ବିଚାରପତି ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ: କର୍ଣ୍ଣାଟକ ହିଜାବ ବିବାଦ ଉପରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ବିଭାଜିତ ରାୟ ଦେଇଛନ୍ତି । ଶିକ୍ଷାନୁଷ୍ଠାନରେ ହିଜାବ କଟକଣା ଯଥାର୍ଥ କି ନୁହେଁ ସେନେଇ ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଖଣ୍ଡପୀଠ ଏକମତ ହୋଇପାରି ନାହାଁନ୍ତି । ଆରମ୍ଭରେ ଜଷ୍ଟିସ ଗୁପ୍ତା ଏହି କଥା ସ୍ପଷ୍ଟ କରିଥିଲେ। ହିଜାବ ମାମଲାରେ ଆମର ଭିନ୍ନ ମତ ରହିଛି ବୋଲି ଜଷ୍ଟିସ ଗୁପ୍ତା କହିଥିଲେ। ଏହା ସହ କର୍ଣ୍ଣାଟକ ହାଇକୋର୍ଟ ରାୟକୁ ସେ ସମର୍ଥନ କରିଥିଲେ । ଅନ୍ୟପକ୍ଷରେ ବିଚାରପତି ଜଷ୍ଟିସ ସୁଦର୍ଶନ ଧୁଲିଆ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି । ମୁଁ ଭାବୁଛି ହାଇକୋର୍ଟ ଏହି ପ୍ରସଙ୍ଗରେ ଭୁଲ ରାସ୍ତା ବାଛିଛନ୍ତି। ଏହି ମାମଲାରେ ଉପଯୁକ୍ତ ନିଷ୍ପତ୍ତି ପାଇଁ ମାମଲା ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇବା ପାଇଁ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି ।

ହିଜାବ ବିବାଦ ଉପରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ୨୩ଟି ଆବେଦନ ଦାଖଲ କରାଯାଇଥିଲା। ରାଜୀବ ଧାୱନ, ଦୁଶନ୍ତ ଦବେ, ସଞ୍ଜୟ ହେଗଡେ ଏବଂ କପିଲ ସିବଲଙ୍କ ଭଳି ବରିଷ୍ଠ ଓକିଲ ଆବେଦନକାରୀଙ୍କ ତରଫରୁ ଏହି ମାମଲା ଲଢ଼ିଥିଲେ। ଦଶ ଦିନ ଧରି ଶୁଣାଣି ପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୨ରେ ରାୟ ସଂରକ୍ଷିତ ରଖିଥିଲେ ।

ମାର୍ଚ୍ଚ ୧୫ରେ କର୍ଣ୍ଣାଟକ ହାଇକୋର୍ଟ ଉଡୁପି ସରକାରୀ ପ୍ରି-ୟୁନିଭରସିଟି ମହିଳା ମହାବିଦ୍ୟାଳୟର କିଛି ମୁସଲିମ ଛାତ୍ରୀଙ୍କ ଶ୍ରେଣୀରେ ହିଜାବ ପିନ୍ଧିବାକୁ ଦାବି କରି ଏକ ଆବେଦନ ଖାରଜ କରିଦେଇଥିଲେ। ଏହାର ପୂର୍ବ ଆଦେଶକୁ କାଏମ ରଖି କୋର୍ଟ କହିଛନ୍ତି ଯେ ହିଜାବ ପିନ୍ଧିବା ଇସଲାମରେ ଏକ ବାଧ୍ୟତାମୂଳକ ପ୍ରଥା ନୁହେଁ। ସମ୍ବିଧାନର ଧାରା ୨୫ ଅନୁଯାୟୀ ହିଜାବକୁ ସଂରକ୍ଷଣ ପ୍ରଦାନ କରିବା ଆବଶ୍ୟକତା ନାହିଁ | ହାଇକୋର୍ଟର ଏହି ନିଷ୍ପତ୍ତିକୁ ଉକ୍ତ ଛାତ୍ରୀମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଚଳିତ ବର୍ଷ ଜାନୁୟାରୀରେ କର୍ଣ୍ଣାଟକର ଉଡୁପିର ଏକ ସରକାରୀ କଲେଜରୁ ହିଜାବ ବିବାଦ ଆରମ୍ଭ ହୋଇଥିଲା। ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି କଲେଜ୍ ଆସିବା ଉପରେ କଟକଣା ଲଗାଯାଇଥିଲା। କଲେଜ ମ୍ୟାନେଜମେଣ୍ଟ ଏହାକୁ ୟୁନିଫର୍ମ କୋଡ୍ ବିରୁଦ୍ଧ ବୋଲି କହିଥିଲା। ପରେ ଏହି ବିବାଦ କର୍ଣ୍ଣାଟକର ଅନ୍ୟ ସହରକୁ ମଧ୍ୟ ବ୍ୟାପି ଯାଇଥିଲା |

Comments are closed.