ଗୁଜରାଟ ପାଇଁ ନିର୍ବାଚନ ତାରିଖ କାହିଁକି ଘୋଷଣା କରାଗଲା ନାହିଁ ? କାରଣ କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ନଭେମ୍ବର ୧୨ରେ ଏହି ରାଜ୍ୟରେ ଭୋଟ୍ ଗ୍ରହଣ କରାଯିବ ଏବଂ ଡିସେମ୍ବର ୮ରେ ଫଳାଫଳ ଘୋଷଣା କରାଯିବ। ହିମାଚଳ ପ୍ରଦେଶ ସହ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ନିର୍ବାଚନ କମିଶନ ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିନାହାଁନ୍ତି । ତେବେ ଗୁଜରାଟ ପାଇଁ ନିର୍ବାଚନ ତାରିଖ କାହିଁକି ଘୋଷଣା କରାଗଲା ନାହିଁ ତାହାର କାରଣ ମଧ୍ୟ କହିଛନ୍ତି ରାଜୀବ କୁମାର । ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ନ କରିବା ଦ୍ବାରା କୌଣସି ନିୟମ ଉଲ୍ଲଂଘନ ହୋଇଥିବା କଥାକୁ ସେ ଖଣ୍ଡନ କରିଛନ୍ତି ।

ନିର୍ବାଚନ କମିଶନ ଆଜି ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଖବର ଆସିବା ପରେ ହିମାଚଳ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଚର୍ଚ୍ଚା ହୋଇଥିଲା । ଯଦି ଦୁଇଟି ରାଜ୍ୟରେ ବିଧାନସଭା କାର୍ଯ୍ୟକାଳ ୬ ମାସ ମଧ୍ୟରେ ଶେଷ ହୁଏ, ତେବେ ନିର୍ବାଚନ ମଧ୍ୟ ଏକକାଳୀନ ହେବ । ଫଳାଫଳ ବି ଏକାସାଙ୍ଗରେ ଘୋଷିତ ହେବ । ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ନକରିବା ପ୍ରଶ୍ନରେ ରାଜୀବ କୁମାର କହିଛନ୍ତି ଯେ ଏଥିରେ କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ। ସେ କହିଛନ୍ତି ଯେ ଉଭୟ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଶେଷ ହେବାରେ ୪୦ ଦିନର ବ୍ୟବଧାନ ରହିଛି। ନିୟମ ଅନୁଯାୟୀ, ଏହା ଅତି କମରେ ୩୦ ଦିନ ହେବା ଉଚିତ, ଯଦ୍ୱାରା ଗୋଟିଏର ଫଳାଫଳ ଅନ୍ୟକୁ ଯେପରି ପ୍ରଭାବିତ କରିବନି |

ଉଲ୍ଲେଖଯୋଗ୍ୟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ କାର୍ଯ୍ୟକାଳ ୮ ଜାନୁୟାରୀ ୨୦୨୩ରେ ଶେଷ ହେଉଥିବା ବେଳେ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ୨୩ ଫେବୃଆରୀ ୨୦୨୩ରେ ଶେଷ ହେଉଛି ।

ଗୁଜରାଟ ପୂର୍ବରୁ ହିମାଚଳ ନିର୍ବାଚନ ସମ୍ପର୍କରେ ରାଜୀବ କହିଛନ୍ତି ଯେ ହିମପାତ ଆରମ୍ଭ ହେବା ପୂର୍ବରୁ ଆମେ ହିମାଚଳ ପ୍ରଦେଶରେ ନିର୍ବାଚନ ସାରିବାକୁ ଚାହୁଁଥିଲୁ । ଏଥିପାଇଁ ନିର୍ବାଚନ କମିଶନ ବହୁ ଅଂଶୀଦାରଙ୍କ ସହ ବିଚାର ବିମର୍ଶ କରିଥିଲେ। ନିର୍ବାଚନ ଆଚରଣ ବିଧି ଅବଧି ମଧ୍ୟ ୭୦ ଦିନରୁ ୫୭ ଦିନକୁ ହ୍ରାସ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

୨୦୧୭ରେ ଉଭୟ ରାଜ୍ୟରେ ନିର୍ବାଚନ ନଭେମ୍ବରରେ ଅନୁଷ୍ଠିତ ହୋଇଥିଲା ଏବଂ ଡିସେମ୍ବରରେ ଏକକାଳୀନ ଫଳାଫଳ ଘୋଷଣା କରାଯାଇଥିଲା। ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା।

Comments are closed.