ମୃତ୍ତିକା ହସ୍ତଶିଳ୍ପ ( ଟେରାକୋଟା ) ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ . ଅରବିନ୍ଦ କୁମାର ପାଢ଼ୀ ଆଜି ସନ୍ଧ୍ୟାରେ ‘ ମୃତ୍ତିକା – ୨୨ ’ ପ୍ରଦର୍ଶନୀର ଉଦ୍‌ଘାଟନ କରିଛନ୍ତି ।

ଚଳିତ ବର୍ଷ ଦୀପାବଳିକୁ ଦୃଷ୍ଟିରେ ରଖ୍ ‘ ମୃତ୍ତିକା – ୨୨ ’ ନାମରେ ଏକ ପ୍ରଦର୍ଶନୀ ୟୁନିଟ୍‌ – ୩ସ୍ଥିତ ଏକାମ୍ର ହାଟ , ଭୁବନେଶ୍ଵରଠାରେ ଅକ୍ଟୋବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଛି । ଏହି ଅବସରରେ ୧୨୫ଟି ଷ୍ଟଲର ବ୍ୟବସ୍ଥା କରାଯାଇ ୨୫୦ରୁ ଊର୍ଦ୍ଧ୍ବ କାରିଗରମାନଙ୍କୁ ବିନା ଦେୟରେ ପ୍ରଦାନ କରାଯାଉଛି । ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର , ଯାଜପୁର , ବାଲେଶ୍ଵର , ସୁବର୍ଣ୍ଣପୁର , ବରଗଡ଼ , ରାୟଗଡ଼ା , ଖୋର୍ଦ୍ଧା , ନୟାଗଡ଼ , ଢେଙ୍କାନାଳ , ମୟୂରଭଞ୍ଜ , ଜଗତସିଂହପୁର , ଭଦ୍ରକ , କଟକ , ନବରଙ୍ଗପୁର , ସମ୍ବଲପୁର , ବଲାଙ୍ଗିର , କେନ୍ଦ୍ରାପଡ଼ା , ପୁରୀ , ସୁନ୍ଦରଗଡ଼ , କୋରାପୁଟ , ଗଜପତି , ଅନୁଗୋଳ , ବୌଦ୍ଧ , କଳାହାଣ୍ଡି , କନ୍ଧମାଳ ଓ ନୂଆପଡ଼ା । ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୧୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟେରାକୋଟା ସାମଗ୍ରୀ ବିକ୍ରି ହେବାର ଆକଳନ କରାଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି , ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର , ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ , ବିଭାଗୀୟ ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ , ମୃତ୍ତିକା ଶିଳ୍ପୀ ଅଞ୍ଜୁଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକନୃତ୍ୟ ଆଜିର ଉଦ୍‌ଘାଟନୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି ରାଉଳ ସାଥୀଙ୍କ ଦ୍ଵାରା ଓଡ଼ିଶୀ ପରିବେଷିତ ହୋଇଥିଲା ।

ପ୍ରକାଶ ଥାଉ କି, ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ୫୦ ଗୋଟି ହସ୍ତଶିଳ୍ପକୁ ଆଧାର କରି ଏକ ଲକ୍ଷ ୫୦ ହଜାରରୁ ଅଧିକ କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି । ହସ୍ତଶିଳ୍ପ କଳାକୃତି ପାଇଁ ଆମ ରାଜ୍ୟ ଓଡ଼ିଶା ବହୁସଂଖ୍ୟାରେ ଜାତୀୟ ସ୍ତରୀୟ ପୁରସ୍କାରପ୍ରାପ୍ତ ହେବାର ଗୌରବ ଅର୍ଜନ କରିଛି । ଅଦ୍ୟାବଧି ୧୮୮ ଜଣ ହସ୍ତଶିଳ୍ପୀ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଛନ୍ତି ଏବଂ ତନ୍ମଧ୍ୟରୁ ୪ ଜଣ ପଦ୍ମ ପୁରସ୍କାର ଏବଂ ୧୩ ଜଣ ଶିଳ୍ପଗୁରୁ ଭାବେ ସମ୍ମାନିତ ହୋଇଛନ୍ତି । ଏତଦ୍‌ବ୍ୟତୀତ ୩୧୨ ଜଣ ହସ୍ତଶିଳ୍ପୀ ରାଜ୍ୟ ସ୍ତରୀୟ ପୁରସ୍କାର ଗ୍ରହଣ କରିଛନ୍ତି । ‘ ଟେରାକୋଟା ’ ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଦ୍ଵାରା ଅନୁମୋଦିତ ହସ୍ତଶିଳ୍ପ ଅଟେ । ଏହାର ସାମଗ୍ରୀମାନ ପ୍ରାୟ ପ୍ରତି ଜିଲ୍ଲାରେ ପାରମ୍ପରିକ କୁମ୍ଭକାର ଏବଂ ପ୍ରଶିକ୍ଷଣ ପ୍ରାପ୍ତ କାରିଗରମାନଙ୍କ ଦ୍ଵାରା ଉତ୍ପାଦିତ ହେଉଛି । ଆମ ରାଜ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ବ କାରିଗର ଟେରାକୋଟା କାମ କରି ବିଭିନ୍ନ ପାରମ୍ପରିକ , ଗୃହସଜ୍ଜା ଉପକରଣ ଓ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ରାଜ୍ୟରେ ୪୦ରୁ ଊର୍ଦ୍ଧ୍ବ ଟେରାକୋଟା ହସ୍ତଶିଳ୍ପ ପୁଞ୍ଜ ଅଛି । ତନ୍ମଧ୍ୟରୁ କେତେକ ମୁଖ୍ୟ ଟେରାକୋଟା ପୁଞ୍ଜଗୁଡ଼ିକ ହେଉଛି ସୋନପୁର ( ସୁବର୍ଣ୍ଣପୁର ) , ବରପାଲି ( ବରଗଡ଼ ) , ହଳଧରପୁର ( କେନ୍ଦୁଝର ) , ନୂଆଗାଁ ( ଖୋର୍ଦ୍ଧା ) , ଲୁଣୁକୁଆ ( ଜଗତସିଂହପୁର ) , କୁସୁମି ( କୋରାପୁଟ ) ଇତ୍ୟାଦି ।
ଆମ ରାଜ୍ୟର ୫ ଜଣ ମୃତ୍ତିକା ହସ୍ତଶିଳ୍ପୀ ଜାତୀୟସ୍ତରୀୟ ପୁରସ୍କାର ଏବଂ ୧୮ ଜଣ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ଓଡ଼ିଶା ସରକାର ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତଶିଳ୍ପର ବିକାଶ ପାଇଁ ବିଭିନ୍ନ ପ୍ରୋତ୍ସାହନମାନ ପ୍ରଦାନ କରୁଛନ୍ତି । ବଜାର ସହାୟତା ପାଇଁ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି । ବ୍ୟକ୍ତିଗତ କାରିଗର , ସ୍ଵୟଂ ସହାୟକ ଗୋଷ୍ଠୀ , ଶୀର୍ଷ ଅନୁଷ୍ଠାନ ଓ ସମବାୟ ସମିତିମାନଙ୍କୁ ଦକ୍ଷତା ବୃଦ୍ଧି , କାରିଗରୀ କୌଶଳ ବୃଦ୍ଧି ତାଲିମ , ଉନ୍ନତ ମାନର ଯନ୍ତ୍ରପାତି , ବ୍ୟାଙ୍କ ଋଣ ସହାୟତା , ଭିତ୍ତିଭୂମିର ବିକାଶ , ନମୂନା ବିକାଶ , ପ୍ରଦର୍ଶନୀ ମାଧ୍ୟମରେ ବଜାର ସହାୟତା ଇତ୍ୟାଦି ଯୋଗାଇ ଦିଆଯାଉଛି । ଏତଦ୍‌ବ୍ୟତୀତ ‘ ଉତ୍କଳିକା ’ ମାଧ୍ୟମରେ ଅନ୍‌ଲାଇନ୍ ବିକ୍ରିବଟାର ବ୍ୟବସ୍ଥା କରାଯାଇଛି । ଉତ୍ପାଦିତ ଟେରାକୋଟା ସାମଗ୍ରୀଗୁଡ଼ିକର ବିକ୍ରିବଟାର ସହାୟତା ନିମନ୍ତେ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ୨୦୦୬ ମସିହାଠାରୁ ‘ ମୃତ୍ତିକା ’ ନାମରେ ଏକ ବାର୍ଷିକ ପ୍ରଦର୍ଶନୀ ଆୟୋଜିତ ହୋଇଆସୁଛି ।

Comments are closed.