ଧନ୍ୟବାଦ ମୁଖ୍ୟମନ୍ତ୍ରୀ: କୃତଜ୍ଞତା ଜଣାଇଲେ ବ୍ରହ୍ମପୁରର ଠିକା ଶିକ୍ଷକ ଶିକ୍ଷୟିତ୍ରୀ

ବ୍ରହ୍ମପୁର: ଶିକ୍ଷକ ହୁଅନ୍ତୁ କି ଶିକ୍ଷୟିତ୍ରୀ, ଖୁସିରେ ଢୋଲ ବଜାଇ ନାଚିଲେ, ପରସ୍ପରକୁ ମିଠା ଖୁଆଇଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଧରି ଜିନ୍ଦାବାଦ ଓ ଧନ୍ୟବାଦ ସ୍ଲୋଗାନବାଜୀ କଲେ। ଏଭଳି ଦୃଶ୍ୟ ବ୍ରହ୍ମପୁର ଗିରିରୋଡ୍‌ସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଥିଲା। ଚୁକ୍ତିଭିତ୍ତିକ ତଥା ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦକୁ ଏଭଳି ଉପାୟରେ ସ୍ବାଗତ କରିଥିଲେ ଗଞ୍ଜାମ ଜିଲ୍ଲା ସରକାରୀ ହାଇସ୍କୁଲ ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ସଂଘ। ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ସମସ୍ତଙ୍କ ମୁହଁରେ ହସ ଫୁଟି ଉଠିଥିଲା। ଠିକା ନିଯୁକ୍ତି ଉଚ୍ଛେଦ ପରେ ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ହେବାକୁ ଯାଉଛନ୍ତି। ରାଜ୍ୟରେ ଦୀର୍ଘ ୧୮ ବର୍ଷ ଧରି ମେଧା ତାଲିକା ଆଧାରରେ କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ଜରିଆରେ ଚୁକ୍ତିଭିଭିକ ଶିକ୍ଷକ ନିଯୁକ୍ତି ଚାଲିଥିଲା। ଶିକ୍ଷକ ସଂଘର ଦାବି ଥିଲା ସମାନ କାମକୁ ସମାନ ଦରମା ମିଳୁ। ଏବେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଓ ଛଅ ବର୍ଷର ଚୁକ୍ତି ଅବଧୂକୁ ମୁଖ୍ୟ କାର୍ଯ୍ୟକ୍ଷେତ୍ରରେ ପରିଗଣିତ କରୁଥିବାରୁ ନିୟୋଜିତ ସମସ୍ତ ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇବାକୁ ଏକାଠି ହୋଇଥିଲେ। ଗଞ୍ଜାମ ଜିଲ୍ଲାର ୧୩୦୦ରୁ ଅଧିକ ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ଓ ୧୦୦୦ରୁ ଅଧିକ ନିୟମିତ ଶିକ୍ଷକ ଉପକୃତ ହେବେ ବୋଲି ସଂଘ ସଭାପତି ଜିତେନ୍ଦ୍ର କୁମାର ମହାରଣା କହିଛନ୍ତି।

Comments are closed.