ଆସିକା ପୋଲିସ ଜବତ କଲା ୪୫ ଲକ୍ଷରୁ ଅଧିକ ଟଙ୍କାର ବାଣ

ଭଞ୍ଜନଗର: ପାର୍ବଣ ଋତୁରେ ଜୁଆ ଧରପଗଡ଼ରେ ବ୍ୟାପକ ସଫଳତା ପରେ ଏବେ ଦୀପାବଳୀ ପୂର୍ବରୁ ବେଆଇନ ବାଣ ପ୍ରସ୍ତୁତି ଓ କାରବାର ଉପରେ ଚଢ଼ଉ ଚଳାଇଛି ଗଞ୍ଜାମ ଜିଲ୍ଲା ପୋଲିସ। ଗୁରୁବାର ଅପରାହ୍ନରେ ଗଞ୍ଜାମ ଏସପି ବ୍ରିଜେଶ ରାଏଙ୍କ ନିର୍ଦ୍ଦେଶକ୍ରମେ ଆସିକା ଏସଡିପିଓ ଉମାଶଙ୍କର ସିଂ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସଦଳବଳେ ଚଢ଼ଉ କରି ୪୫ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛନ୍ତି। କଟକ ଜିଲ୍ଲା ତିଗିରିଆର ହୃଦାନନ୍ଦ ନାୟକଙ୍କୁ ଗିରଫ କରାଯାଇଛି। ଏକ ଭ୍ୟାନରେ ଲୁଚାଛପାରେ ବାଣ ଚୋରାଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ। ଏସପିଙ୍କ ନିର୍ଦ୍ଦେଶରେ ପୋଲିସ ଟିମ୍ ପାଟ୍ରୋଲିଂ ବେଳେ ଏକ ପିକ୍ଅପ୍ ଭ୍ୟାନ୍‍ (ଓଆର୍୦୫ଏଡି ୨୪୧୮)କୁ ସନ୍ଦେହ କରି ଯାଞ୍ଚ ବେଳେ ବିପୁଳ ପରିମାଣର ବାଣ ଧରାପଡ଼ି ଥିଲା।

ଏଥିସହ ଆଜି ଦିନକ ମଧ୍ୟରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ମାତ୍ରାର ବାଣ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଥିବା କଞ୍ଚାମାଲ ଜବତ କରିଛି। ଏ ନେଇ ଆସିକା ଥାନାରେ ଚାରୋଟି ମାମଲା ରୁଜୁ ହୋଇଛି। ଜବତ ବେଳେ ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଖାନତଲାସ କରୁଛି। ଦୀପାବଳି ପାଖେଇ ଆସୁଥିବା ବେଳେ ତା ପୂର୍ବରୁ ବେଆଇନ, ଲୁଚାଛପା ତଥା ଲାଇସେନ୍ସ ବିନା ବାଣ ପ୍ରସ୍ତୁତି, ଗଚ୍ଛିତ ରଖିବା କିମ୍ବା ଅନ୍ୟତ୍ର ଚାଲାଣ କରିବା ବିରୋଧରେ ପୋଲିସ ତାର ଧରପଗଡ଼ ଅଭିଯାନ ଜାରି ରଖିବ ବୋଲି ଗଞ୍ଜାମ ଏସପି ବ୍ରିଜେଶ ରାଏ ସୂଚନା ଦେଇଛନ୍ତି।

ବେଆଇନ ବାଣ ଦୋକାନ ଓ ଗୋଦାମ ଉପରେ ଚଢ଼ଉ ଅଭିଯାନ ଅନ୍ତର୍ଗତ ପୋଲିସ ଗତ ୫ ଦିନ ମଧ୍ୟରେ ପ୍ରାୟ କୋଟିଏ ଟଙ୍କାର ବାଣ ଜବତ କରିଲାଣି। ଗତ ରବିବାର ଗଞ୍ଜାମ ଥାନା ପୋଲିସ, ମଙ୍ଗଳବାର କବିସୂର୍ଯ୍ୟନଗର ଥାନା ପୋଲିସ, ବୁଧବାର ଉଭୟ ପାଟପୁର ଓ ଦିଗପହଣ୍ଡି ଥାନା ପୋଲିସ ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ କରିଛି। ତେବେ ବୁଧବାର ଏଯାବତ ସବୁଠୁ ବଡ଼ ଧରପଗଡ଼ କରାଯାଇଛି। ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ରାଜ୍ୟରେ ମିନି ଶିବକାଶୀ ଭାବେ ବାଣ ତିଆରି ଓ ବିକ୍ରି ପାଇଁ ନାଁ କରିଛି। ମାତ୍ର ଏଠି ହେଉଥିବା ବେନିୟମ ବାଣ ପ୍ରସ୍ତୁତି ଓ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଗଞ୍ଜାମ ପୋଲିସ ବାରମ୍ବାର ଚଢ଼ଉ କରୁଛି। ଗୁରୁବାର ମଧ୍ୟ ନଳବଣ୍ଟା ବଜାର ଓ ଆଖପାଖ ସ୍ଥାନରୁ ବିକ୍ରି ପାଇଁ ଗଛିତ ରଖାଯାଇଥିବା ବାଣ ଜବତ କରାଯାଇଛି।

Comments are closed.