ଭାରତୀୟ ଦଳର ପାକିସ୍ତାନ ଗସ୍ତ ନେଇ ଏମିତି କହିଲେ ବିସିସିଆଇର ନୂଆ ସଭାପତି

ବେଙ୍ଗାଲୁରୁ: ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନା ନାହିଁ ସେନେଇ ବିସିସିଆଇ ନିଜେ ନିଷ୍ପତ୍ତି ନେଇପାରିବ ନାହିଁ । ଏଥିପାଇଁ ସରକାରଙ୍କ ଅନୁମତି ଦରକାର । ତେଣୁ ପାକିସ୍ତାନ ଗସ୍ତ ଉପରେ ନିଷ୍ପତ୍ତି ସରକାର ନେବେ ବୋଲି ବିସିସିଆଇର ନବ ନିର୍ବାଚିତ ସଭାପତି ରୋଜର ବିନ୍ନି କହିଛନ୍ତି ।

କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ଏକ କାର୍ଯ୍ୟକ୍ରମରେ ବିନ୍ନି କହିଛନ୍ତି, ଏସିଆ କପର ପରବର୍ତ୍ତୀ ସଂସ୍କରଣ ପାଇଁ ପାକିସ୍ତାନ ଗସ୍ତ ସମ୍ପର୍କରେ ବିସିସିଆଇ ଏପର୍ଯ୍ୟନ୍ତ ସରକାରଙ୍କ ଅନୁମତି ଲୋଡି ନାହିଁ । ଏହି ପ୍ରସଙ୍ଗ ଉପରେ କେବଳ ସରକାର ହିଁ ନିଷ୍ପତ୍ତି ନେବେ । ଏନେଇ ବିସିସିଆଇ ନିଜେ କିଛି ନିର୍ଣ୍ଣୟ କରିପାରିବ ନାହିଁ । ବିଦେଶ ଗସ୍ତ ହଉ ଅବା କୌଣସି ଦଳ ଭାରତ ଆସିବା ପାଇଁ ଆମେ ସରକାରଙ୍କ ଅନୁମତି ନେଇଥାଉ । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆମେ କାମ କରୁ ବୋଲି ବିନ୍ନି କହିଛନ୍ତି ।

ଏସିଆ କପର ପରବର୍ତ୍ତୀ ସଂସ୍କରଣ ଆସନ୍ତା ବର୍ଷ ସେପ୍ଟେମ୍ବରରେ ପାକିସ୍ତାନରେ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପର ଠିକ୍ ପୂର୍ବରୁ ଏସିଆ କପ୍ ଖେଳାଯିବ । ତେବେ କିଛି ଦିନ ତଳେ ଏସିଆ କପ୍ ନେଇ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ମନ୍ତବ୍ୟ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଜୟ ଶାହ କହିଥିଲେ ଯେ, ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ । ଏହି ଟୁର୍ଣ୍ଣାମେଣ୍ଟ ଏକ ନିରପେକ୍ଷ ଭେନ୍ୟୁରେ ଖେଳିବାକୁ ଆମେ ଚାହିଁବୁ । ଜୟ ଶାହଙ୍କ ଏପରି ମନ୍ତବ୍ୟରେ ଆପତ୍ତି ଉଠାଇବା ସହ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଭାରତରେ ୨୦୨୩ ବିଶ୍ୱକପରୁ ଓହରିବାକୁ ପରୋକ୍ଷ ଚେତାବନୀ ଦେଇଛି । ଏଭଳି ମନ୍ତବ୍ୟ ଏସିଆ ଓ ଅନ୍ତର୍ଜାତୀୟ କ୍ରିକେଟ୍ ସମୁଦାୟକୁ ଦୁଇ ଭାଗ କରିବ ବୋଲି କହିବା ସହ ପିସିବି ଏସିଆ କପ୍ ଉପରେ ନିଷ୍ପତ୍ତି ପାଇଁ ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ଏକ ଜରୁରୀ ବୈଠକ ଡାକିବାକୁ ଅନୁରୋଧ କରିଛି ।

ଏହି ପ୍ରସଙ୍ଗରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କହିଛନ୍ତି ଯେ, ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମତି ନେବା ଜରୁରୀ । ଭାରତରେ ୨୦୨୩ ବିଶ୍ୱକପରୁ ଓହରିବା ନେଇ ପାକିସ୍ତାନର ଧମକ ନେଇ ପ୍ରଶ୍ନ କରାଯିବାରୁ ଠାକୁର କହିଥିଲେ ଯେ, ସବୁ ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ପାକିସ୍ତାନ ମଧ୍ୟ ଭାରତ ଆସିବ । ଭାରତ ଏକ କ୍ରୀଡ଼ା ଶକ୍ତି। କେହି ଆମକୁ ଉପେକ୍ଷା କରିପାରିବେ ନାହିଁ ।

୨୦୦୮ ଏସିଆ କପ୍ ପରଠୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯାଇ ନାହିଁ । ପୁଣି ସେହିବର୍ଷ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ୨୦୦୯ରେ ହେବାକୁ ଥିବା ଦ୍ୱିପାକ୍ଷିକ ସିରିଜ୍ ବାତିଲ କରାଯାଇଥିଲା । ଯଦିଓ ୨୦୧୨ରେ ପାକିସ୍ତାନ ଦଳ ଏକ ୬ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର ସିରିଜ୍ ଖେଳିବାକୁ ଭାରତ ଆସିଥିଲା, ତେବେ ଗତ ୧୦ ବର୍ଷରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ । ଭାରତ ଓ ପାକିସ୍ତାନ କେବଳ ଏସିଆ କପ୍ ଓ ଆଇସିସି ଇଭେଣ୍ଟରେ ପରସ୍ପରକୁ ଭେଟୁଛନ୍ତି ।

Comments are closed.