ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଛୁଇଁବ ନାହିଁ, ଆତଙ୍କିତ ନ ହେବାକୁ ଏସଆରସିଙ୍କ ପରାମର୍ଶ

ଭୁବନେଶ୍ୱର – ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କାରଣ ନାହିଁ । ଏହା ଓଡ଼ିଶା ଛୁଇଁବ ନାହିଁ । ଓଡ଼ିଶା ଉପକୂଳରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ସମୁଦ୍ର ଭିତରେ ସମାନ୍ତରାଳ ହୋଇ ବାଂଲାଦେଶ ଅଭିମୁଖେ ଅତିକ୍ରମ କରିବ । ତେଣୁ ସାଧାରଣ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ କିମ୍ବା ଗଣମାଧ୍ୟମ ବି ବାତ୍ୟା ସଂକ୍ରାନ୍ତରେ ହଟଚମଟ ସୃଷ୍ଟି କଲାଭଳି ଖବର ପରିବେଷଣ ନକରିବା ପାଇଁ ଅନୁରୋଧ କରିଛନ୍ତି ଏସଆରସି ପ୍ରଦୀପ ଜେନା । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି ଆଜି ଗଣମାଧ୍ୟମକୁ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଓ ସେମାନଙ୍କର ଆକଳନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଅବପାତ ଓ ୨୩ତାରିଖ ସୁଦ୍ଧା ତୀବ୍ର ଅବପାତ ଏବଂ ୨୪ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେବ । ଏହି ସମ୍ଭାବ୍ୟ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଓଡ଼ିଶା ଉପକୂଳର ୨୦୦କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ୨୫ତାରିଖ ସନ୍ଧ୍ୟା ସୁଦ୍ଧା ବାଂଲାଦେଶରେ ଉପକୂଳ ଛୁଇଁବ । ତେଣୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର କୌଣସି ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଥିବା ଏସଆରସି କହିଛନ୍ତି ।

ବାତ୍ୟା ଓଡ଼ିଶା ଉପକୂଳ ନ ଛୁଇଁଲେ ମଧ୍ୟ ରାଜ୍ୟ ସରକାର ପ୍ରାକୃତିକ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ଆବଶ୍ୟକୀୟ ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ଏସ ଆରସି ସୂଚନା ଦେଇଛନ୍ତି।

Comments are closed.