ପାକିସ୍ତାନକୁ ୧ ରନରେ ହରାଇଲା ଜିମ୍ବାୱେ

ପର୍ଥ: ଚଳିତ ଟି୨୦ ବିଶ୍ୱକପରେ ପୁଣି ଏକ ବଡ଼ ବିପର୍ଯ୍ୟୟ ଘଟିଛି । ଏଠାରେ ଖେଳାଯାଇଥିବା ଗ୍ରୁପ-୨ର ଏକ ରୋମାଞ୍ଚକ ମ୍ୟାଚରେ ପାକିସ୍ତାନକୁ ୧ ରନରେ ହରାଇ ଦେଇଛି ଜିମ୍ବାୱେ । ଏହି ଲୋ-ସ୍କୋରିଂ ମ୍ୟାଚରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୮ ୍‌ୱିକେଟ୍ ହରାଇ ୧୩୦ ରନ୍ କରିଥିଲା । ହେଲେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଜିମ୍ବାୱେ ଏହି ସାଧାରଣ ସ୍କୋରକୁ ଡିଫେଣ୍ଡି କରି ଏକ ସ୍ମରଣୀୟ ବିଜୟ ହାସଲ କରିଛି । ୧୩୧ ରନର ବିଜୟଲକ୍ଷ୍ୟ ଜବାବରେ ପାକିସ୍ତାନ ୮ ୱିକେଟ ହରାଇ ୧୨୯ ରନ୍ କରିବାକୁ ସମର୍ଥ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଏହା ଲଗାତାର ଦ୍ୱିତୀୟ ପରାଜୟ ହୋଇଥିବା ବେଳେ ଦଳର ସେମିଫାଇନାଲ ପଥ ଏବେ କଷ୍ଟକର ହୋଇଯାଇଛି । ପ୍ରଥମ ମ୍ୟାଚରେ ପାକିସ୍ତାନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଠାରୁ ୪ ୱିକେଟରେ ହାରିଥିଲା । ଚଳିତ ବିଶ୍ୱକପରେ ଜିମ୍ବାୱେର ଏହା ପ୍ରଥମ ବିଜୟ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦଳର ପ୍ରଥମ ମାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

ପାକିସ୍ତାନକୁ ବିଜୟ ପାଇଁ ଶେଷ ଓଭରରେ ୧୧ ରନ୍ ଆବଶ୍ୟକ ହେଉଥିଲା । ହେଲେ ଶେଷ ଓଭର ବୋଲିଂ କରିଥିବା ବ୍ରାଡ୍ ଇଭାନ୍ସ ମାପଚୁପ ବୋଲିଂ କରି ବିପଜ୍ଜନକ ମହମ୍ମଦ ନୱାଜ (୨୨)ଙ୍କ ୱିକେଟ୍ ନେବା ମାତ୍ର ୯ ରନ୍ ଦେଇ ଜିମ୍ବାୱେର ବିଜୟ ନିଶ୍ଚିତ କରିଥିଲେ । ଶେଷ ବଲରେ ୨ ରନ୍ ଦରକାର ହେଉଥିବା ବେଳେ ଶାହୀନ ଶାହା ଆଫ୍ରିଦି ଦ୍ୱିତୀୟ ରନ୍ ନେବା ଉଦ୍ୟମରେ ରନ୍ ଆଉଟ୍ ହୋଇଯାଇଥିଲେ । ଜିମ୍ବାୱେର ଏହି ଐତିହାସିକ ବିଜୟରେ ପାକ୍ ଜନ୍ମିତ ଅଲରାଉଣ୍ଡର ସିକନ୍ଦର ରାଜା ହିରୋ ବନିଥିଲେ । ସେ ୪ ଓଭରରେ ୨୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ଇଭାନ୍ସ ୨ଟି ୱିକେଟ୍ ନେଇଥିବା ବେଳେ ବ୍ଲେସିଂ ମୁଜାରାବାନି ଓ ଲ୍ୟୁକ୍ ଜଙ୍ଗୱେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ରାଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

୧୩୧ ରନର ବିଜୟଲକ୍ଷ୍ୟ ଜବାବରେ ପାକିସ୍ତାନର ଦୁଇ ଷ୍ଟାର ଓପନର ମହମ୍ମଦ ରିଜୱାନ (୧୪) ଓ କ୍ୟାପଟେନ ବାବର ଆଜମ (୪) ପୁଣି ବିଫଳ ହୋଇଥିଲେ । ଆଜମଙ୍କୁ ଆଉଟ୍ କରି ଇଭାନ୍ସ ପାକିସ୍ତାନକୁ ପ୍ରଥମ ଝଟକା ଦେଇଥିଲେ । ଏହାପରେ ରିଜୱାନଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ ମୁଜରାବାନି । ପାକିସ୍ତାନର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ମଧ୍ୟ ଜିମ୍ବାୱେର ଶୃଙ୍ଖଳିତ ବୋଲିଂ ଆଗରେ ସଂଘର୍ଷ କରିି ସଅଳ ଆଉଟ୍ ହୋଇଥିଲେ । ପାକିସ୍ତାନର ସର୍ବୋଚ୍ଚ ସ୍କୋରର ଶାନ୍ ମାସୁଦ (୪୪)ଙ୍କ ସମେତ ୩ଟି ୱିକେଟ୍ ଖସାଇ ସିକନ୍ଦର ରାଜା ଜିମ୍ବାୱେକୁ ବିଜୟ ସୁଯୋଗ ଦେଇଥିଲେ ।

ଏହି ରୋମାଞ୍ଚକ ବିଜୟ ପରେ ଜିମ୍ବାୱେ ଖେଳାଳି ଭାବ ବିହ୍ୱଳ ହୋଇପଡିଥିଲେ । ସେମାନେ ପ୍ରଶଂସକଙ୍କ ସହ ମିଶି ବିଜୟ ଉତ୍ସବ ପାଳନ କରିଥିଲେ । ପୂର୍ବରୁ ଜିମ୍ବାୱେ ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ କ୍ରେଗ୍ ଇର୍ଭିନ୍ (୧୯) ଓ ୱେସଲି ମାଡଭିୟର (୧୭) ଦଳକୁ ଏକ ଭଲ ଷ୍ଟାର୍ଟ ଦେଇ ପ୍ରଥମ ୱିକେଟରେ ମାତ୍ର ୩୦ ବଲରେ ୪୧ ରନ୍ ଯୋଗ କରିଥିଲେ । ତେବେ ଦୁଇ ଓପନରଙ୍କ ୱିକେଟ୍ ହରାଇବା ପରେ ଜିମ୍ବାୱେ ଦିଗହରା ହୋଇଯାଇଥିଲା । ଦଳ ପକ୍ଷରୁ ସିନ୍ ୱିଲିୟମ୍ସ ସର୍ବାଧିକ ୩୧ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ୱାସିମ ୪ଟି ଓ ସଦାବ ଖାନ୍ ୩ଟି ୱିକେଟ୍ ନେଇଥିଲେ ।

Comments are closed.