ରାଜ୍ୟର ପ୍ରଥମ ଏସଏଚଜି ପରିଚାଳିତ ପଞ୍ଜୁରୀ ମାଛ ଚାଷ ଉଦଘାଟିତ

ସମ୍ବଲପୁର : ରାଜ୍ୟର ପ୍ରଥମ ଏସ୍ଏଚଜି ପରିଚାଳିତ ପଞ୍ଜୁରୀ ମାଛ ଚାଷ ପ୍ରକଳ୍ପ ହୀରାକୁଦ ଜଳଭଣ୍ଡାରରେ ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ଅନନ୍ୟା ଦାସ ଏହାକୁ ଉଦଘାଟନ କରିଛନ୍ତି। ପୂର୍ବରୁ ପୋଖରୀରେ ମାଛ ଚାଷ ପ୍ରକଳ୍ପରେ ଏସ୍ଏଚଜି ସାମିଲ ହୋଇଥିବା ବେଳେ ପଞ୍ଜୁରୀ ବା କେଜ୍ କଲଚର୍ ପ୍ରକଳ୍ପରେ ମାଁ ମାନଙ୍କ ପ୍ରବେଶ ପ୍ରଥମ କରି ଆରମ୍ଭ ହୋଇଛି।

ହୀରାକୁଦ ଜଳଭଣ୍ଡାର ମଧ୍ୟରେ କିଛି ବର୍ଷ ହେଲା କେଜ୍ ଫିସିଂ ପ୍ରକଳ୍ପ ଆରମ୍ଭ ହୋଇଛି। ହେଲେ ବର୍ତ୍ତମାନ ଧନକଉଡା ବ୍ଲକର ୪ଟି ଏସ୍ଏଚଜି ଏହି ବ୍ୟବସାୟରେ ପ୍ରବେଶ କରିଛନ୍ତି। ପଞ୍ଜୁରୀ ପଦ୍ଧତ୍ତିରେ ରାଜ୍ୟରେ ପ୍ରଥମ କରି ଏସଏଚଜି ମହିଳା ମାଛ ଚାଷ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି ଓଡିଶା ଜୀବିକା ମିଶନ ସମ୍ବଲପୁର ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକଳ୍ପ ପରିଚାଳନା ପାଇଁ ମିଶନ ଶକ୍ତି ମାଧ୍ୟମରେ ଓଏଲଏମ ପକ୍ଷରୁ ୩୦ ଲକ୍ଷ ଟଙ୍କା ଋଣ ମଧ୍ୟ ପ୍ରଦାନ ହୋଇଛି ବୋଲି ସୂଚନା ଦିଆଯାଇଛି। ଜିଲ୍ଲାପାଳ ଏହି ପ୍ରକଳ୍ପକୁ ଉଦଘାଟନ କରିବା ପରେ ସେଠାରେ ପ୍ରାୟ ୧୮ ହଜାର ଜାଆଁଳ ଛଡାଯାଇଛି। ଆସନ୍ତା ୮ ମାସ ମଧ୍ୟରେ ସେଠାରୁ ମାଛ ଉତ୍ପାଦନ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଧନକଉଡ଼ା ବ୍ଲକ ଜୋନ-୧ କିଲାସମା ପଞ୍ଚାୟତ ବଲବସପୁର ଗ୍ରାମ ନିକଟ ହୀରାକୁଦ ବନ୍ଧ ମଧ୍ୟରେ ୪ଟି ଏସଏଚଜି ଯଥା ଅଲିଭା, ମନିଷା, ଜୟ ମା ଦୁର୍ଗା ଏବଂ ଶୁଭଶ୍ରୀ ଏସଏଚଜି ମାଧ୍ୟମରେ ଏହି ପଞ୍ଜୁରୀ ମାଛ ଚାଷ ଆରମ୍ଭ ହୋଇଛି। ଏସଏଚଜି ଗୁଡ଼ିକୁ ସ୍ବାବଳମ୍ବୀ କରିବା ପାଇଁ ଚାଲିଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ ଅଟେ। ଉଦଘାଟନ ଅବସରରେ ଧନକଉଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ କୁମାର ପଟେଲ, ଡିପିଏମ ଡ. ପୁଷ୍ପଶ୍ରୀ ନାୟକ, ବ୍ଲକ ଉପାଧ୍ୟକ୍ଷା ରଞ୍ଜୁଲତା ଭୋଇ, ସ୍ଥାନୀୟ ସରପଞ୍ଚ ଗୌରୀ ବାରିକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅମୂଲ୍ୟ ଭୋଇ, କନିଷ୍ଠ ଯନ୍ତ୍ରୀ ସୁବ୍ରତ ଶର୍ମ।, ପଞ୍ଚାୟତସ୍ତରୀୟ ମହାସଂଘର ସଭାନେତ୍ରୀ ନନ୍ଦିନୀ ପ୍ରଧାନଙ୍କ ସହ ଏସଏଚଜିର ସଦସ୍ୟା ଉପସ୍ଥିତ ଥିଲେ।

Comments are closed.