ମସ୍କ ଟ୍ୱିଟର ମାଲିକାନା ହାତେଇବା ପରେ ଭାରତ ସରକାର ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କ ଏବେ ଟ୍ୱିଟରର ନୂଆ ମାଲିକ । ମସ୍କ ଚଳିତ ବର୍ଷ ଏପ୍ରିଲ୍ ୧୩ରେ ଟ୍ୱିଟର କିଣିବା ଲାଗି ଘୋଷଣା କରିଥିଲେ। ମସ୍କ ଟ୍ୱିଟର ମାଲିକାନା ହାତେଇବା ପରେ ଭାରତର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଆଇଟି ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗଣମାଧ୍ୟମକୁ କହିଛନ୍ତି, ଟ୍ୱିଟର ଭାରତରେ ନୂଆ ଆଇଟି ନିୟମ ପାଳନ କରିବ ବୋଲି ଆମେ ଆଶା କରୁଛୁ ।”

ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ କୌଣସି ସୋସିଆଲ ମିଡ଼ିଆ କମ୍ପାନୀର ମାଲିକ ବଦଳିଲେ ଆମର କିଛି ଯାଏ ଆସେ ନାହିଁ । ଆମ ନିୟମ ସମସ୍ତଙ୍କ ପାଇଁ ସମାନ । ଭାରତର ନିଜସ୍ୱ ନିୟମ ଅଛି, ଏଠାକାର ଆଇନ ସମସ୍ତଙ୍କୁ ମାନିବାକୁ ପଡ଼ିବ | କିଛି ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ୍ ହେବା ନେଇ ସେ କହିଛନ୍ତି ଯେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏହି ପରିପ୍ରେକ୍ଷୀରେ ଏକ ନୂଆ ଆଇଟି ନିୟମ ଲାଗୁ ହେବ, ଯାହାକୁ ସମସ୍ତେ ପାଳନ କରିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ ଯେ, ଜୁଲାଇରେ ଭାରତ ସରକାର ଟ୍ୱିଟରକୁ କିଛି ଆପତ୍ତିଜନକ ପୋଷ୍ଟ ହଟାଇବାକୁ କହିଥିଲେ । ଏହି ମାମଲା କୋର୍ଟକୁ ଯାଇଥିଲା । କୋର୍ଟରେ ଟ୍ୱିଟର ଅଧିକାରୀ କିଛି ପୋଷ୍ଟ ହଟାଇବାକୁ ରାଜି ହୋଇଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ଏକ ସ୍ବତନ୍ତ୍ର ଶିଖ୍ ରାଜ୍ୟ ଗଠନ, କୃଷକ ଆନ୍ଦୋଳନ ଓ କୋଭିଡ୍-୧୯ ମହାମାରୀର ମୁକାବିଲା ନେଇ ସରକାରଙ୍କ ଉଦ୍ୟମ ସମ୍ପର୍କରେ ଭୁଲ୍ ତଥ୍ୟ ହଟାଇବାକୁ ଭାରତ ସରକାର ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.