ନୂଆଦିଲ୍ଲୀ: ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଶୁକ୍ରବାର ରାତିରେ ଏହି ବିମାନ ଠିକ୍ ଉଡାଣ ଆରମ୍ଭ କରୁଥିବା ବେଳେ ଏହାର ଏକ ଇଞ୍ଜିନରେ ନିଆଁ ଲାଗିଯାଇଥିଲା ।
ଏହି କାରଣରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ରାତି ପ୍ରାୟ ୧୦ଟା ସମୟରେ ଏହି ଘଟଣା ଘଟିଥିଲା |
ସୂଚନା ଅନୁଯାୟୀ, ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ବିମାନ ନମ୍ବର ୬ଇ-୨୧୩୧ ଟେକ୍ ଅଫ୍ କଲାବେଳେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାର ଡ଼ାହାଣ ଡେଣାରେ ନିଆଁ ଲାଗିଯାଇଥିଲା । ଏହା ଜଣାପଡ଼ିବା କ୍ଷଣି ପାଇଲଟ୍ ଟେକ୍ ଅଫ୍ ବନ୍ଦ କରିଥିଲେ।
ଏହି ଘଟଣାରେ ବିମାନରେ ଥିବା କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ । ଯାତ୍ରୀମାନଙ୍କୁ ଅନ୍ୟ ବିମାନ ଦ୍ୱାରା ବାଙ୍ଗାଲୋରକୁ ପଠାଯାଇଥିଲା। ବିମାନରେ ୧୭୭ ଯାତ୍ରୀଙ୍କ ସହ ୭ ଜଣ କ୍ରୁ ସଦସ୍ୟ ଥିଲେ।
ସୂଚନାନୁସାରେ, ଏହି ଇଣ୍ଡିଗୋ ବିମାନ ପରେ ଏକ ସ୍ପାଇସଜେଟ୍ ବିମାନ ଉଡ଼ିବାକୁ ଅପେକ୍ଷା କରିଥିଲା। ଏହାର ପାଇଲଟ କଣ୍ଟ୍ରୋଲ ରୁମକୁ କଲ୍ କରି ଇଣ୍ଡିଗୋ ବିମାନର ଇଞ୍ଜିନରେ ନିଆଁ ବିଷୟରେ ସୂଚନା ଦେଇଥିଲେ।
ଏହି ଦୁର୍ଘଟଣା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ କରିବାକୁ କହିଛି।
ମନ୍ତ୍ରଣାଳୟ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛି ଯେ ଏହି ଘଟଣାର ତଦନ୍ତ କରି ଶୀଘ୍ର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)କୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed.