ଫେକ ନ୍ୟୁଜ ମୁଖ୍ୟ ବିଚାରପତିଙ୍କ ଛବି ମଳିନ ପାଇଁ ହୀନ ଉଦ୍ୟମ : ହାଇକୋର୍ଟ ରେଜିଷ୍ଟ୍ରି

ଭୁବନେଶ୍ୱର -ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଭାବମୂର୍ତ୍ତି ମଳିନ କରିବା ଉଦ୍ଦେଶ୍ୟରେ ଫେକ ନ୍ୟୁଜ ପ୍ରଚାର କରିଥିବାରୁ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ସତ୍ୟାସତ୍ୟ ନ ଜାଣି ଏ ସଂପର୍କିତ ଖବର ପ୍ରକାଶ କରିଥିବାରୁ କିଛି ଗଣମାଧ୍ୟମକୁ ହାଇକୋର୍ଟ କଡା ସମାଲୋଚନା କରିଛନ୍ତି ।

ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ପ୍ରେସ ରିଲିଜରେ କୁହାଯାଇଛି ଯେ, ଗତ ମାର୍ଚ୍ଚ ୧୨ ତାରିଖରେ ସତ୍ୟସାଇ ସେବା ସଂସ୍ଥା ପକ୍ଷରୁ ନିଶୁଃଳ୍କ ମେଗା ହାର୍ଟ କ୍ୟାମ୍ପର ଆୟୋଜନ କରାଯାଇଥିଲା। ସେଥିରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହ ମୁଖ୍ୟ ଅତିଥି, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧରନ ସମ୍ମାନିତ ଅତିଥି ଓ ଓଡ଼ିଶା ସରକାରଙ୍କ ସହଯୋଗରେ ହେଉଥିବାରୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ସତ୍ୟ ସାଇ ହାର୍ଟ ହସ୍ପିଟାଲ୍‌ର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭୀମାନି, ବିଚାରପତି ଜଷ୍ଟିସ୍‌ ମୁରଲୀଧରନ୍‌ ଓ ୫-ଟି ସଚିବ ପାଣ୍ଡିଆନ୍‌ ଜଷ୍ଟିସ୍‌ ଶାହଙ୍କୁ ଅପେକ୍ଷା କରି ରହିଥିଲା ବେଳେ ଭାଇରାଲ୍‌ ହେଉଥିବା ଫଟୋଟି ଉଠାଯାଇଥିଲା। ଏହା କୌଣସି ରୁଦ୍ଧଦ୍ୱାର ବୈଠକ ନଥିଲା। ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆୟୋଜିତ ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ଥିଲା ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ କୁହାଯାଇଛି। ଏଥିସହ ସେତେବେଳେ ଏ ନେଇ ଛପାଯାଇଥିବା ନିମନ୍ତ୍ରଣ ପତ୍ରକୁ ମଧ୍ୟ ଜାରି କରାଯାଇଛି।

ହାଇକୋର୍ଟ ମୁଖ୍ୟ ବିଚାରପତି ଓ ନ୍ୟାୟପାଳିକାର ଛବି ମଳିନ କରିବାକୁ ଏହା ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଇଛି। ସେହିପରି ଘଟଣାର ସତ୍ୟାସତ୍ୟ ନଜାଣି କିଛି ଗଣମାଧ୍ୟମ ଏହାକୁ ଖବର ଭାବେ ପ୍ରକାଶ କରିବା ଦୁର୍ଭାଗ୍ୟଜନକ ବୋଲି ପ୍ରେସ ରିଲିଜ ରେ କୁହାଯାଇଛି।

Comments are closed.