ଫିଲିପ୍ସଙ୍କ ଶତକ: ନ୍ୟୁଜିଲାଣ୍ଡର ପୁଣି ଏକ ବଡ଼ ବିଜୟ

ସିଡନୀ: ଆଇସିସି ଟି-୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ଜୟଯାତ୍ରା ଜାରି ରଖିଛି। ପ୍ରଥମ ମ୍ୟାଚରେ ଗତଥର ବିଜେତା ଅଷ୍ଟ୍ରେଲିଆକୁ ୮୯ ରନରେ ଧରାଶାୟୀ କରିବା ପରେ ଦଳ ଶନିବାର ଏଠାରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ବୃହତ ବିଜୟ ହାସଲ କରିଛି। ଶ୍ରୀଲଙ୍କାକୁ ୬୫ ରନରେ ହରାଇଛି ନ୍ୟୁଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟରେ ଦଳର ଏହା ଦ୍ବିତୀୟ ବିଜୟ ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଏକଦା ୧୫ ରନରେ ୩ ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ ଗ୍ଲେନ ଫିଲିପ୍ସଙ୍କ ବିସ୍ଫୋରକ ଶତକ ବଳରେ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟରୁ ମୁକୁଳି ୭ ୱିକେଟ ହରାଇ ୧୬୭ ରନ୍ କରିଥିଲା। ଫିଲିପ୍ସ ମାତ୍ର ୬୪ ବଲରେ ୧୦ଟି ଚୌକା ଓ ୪ଟି ଛକା ସହାୟତାରେ ଧମାକାଦାର ୧୦୪ ରନ୍ କରିଥିଲେ । ଏହାପରେ ଟ୍ରେଣ୍ଟ ବୋଲ୍ଟ ଏବଂ ଟିମ୍ଉ ସାଉଦି ଶ୍ରୀଲଙ୍କାକୁ ଘାଇଲା କରିଥିଲେ । ୧୬୮ ରନର ବିଜୟ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ବ୍ୟାଟର ଫିଲିପ୍ସଙ୍କ ବ୍ୟକ୍ତିଗତ ସ୍କୋରକୁ ମଧ୍ୟ ଟପି ପାରିନଥିଲା । ଶ୍ରୀଲଙ୍କା ୧୯.୨ ଓଭରରେ ମାତ୍ର ୧୦୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଦାସୁନ ଶନକା ସର୍ବାଧିକ ୩୫ ରନ୍ କରିଥିବା ବେଳେ ଭାନୁକା ରାଜପକ୍ଷେ ୩୪ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ବୋଲ୍ଟ ୪ଟି ଓ୍ବିକେଟ୍ ନେଇଥିବା ବେଳେ ମିଚେଲ ସାଣ୍ଟନର ଓ ଇଶ ସୋଧି ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଫିଲିପ୍ସ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

Comments are closed.