ମସ୍କଙ୍କ ଘୋଷଣା: ‘ବ୍ଲୁ ଟିକ୍’ ପାଇଁ ଟ୍ବିଟର ୟୁଜର ମାସକୁ ଦେବେ ୮ ଡଲାର୍

ନୂଆଦିଲ୍ଲୀ: ଟ୍ୱିଟର ୟୁଜରଙ୍କୁ ଆଉ ମାଗଣାରେ ମିଳିବନି ‘ବ୍ଲୁ ଟିକ୍’ । ଏଥିପାଇଁ ମାସକୁ ନିର୍ଦ୍ଦିଷ୍ଟ ଶୁଳ୍କ ଦେବାକୁ ପଡ଼ିବ । ଟ୍ବିଟରର ନୂଆ ମାଲିକ ଏଲନ୍ ମସ୍କ ‘ବ୍ଲୁ ଟିକ୍’ ପାଇଁ ମାସିକ ଫି’ ମଧ୍ୟ ସ୍ଥିର କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି ଯେ ବ୍ଲୁ ଟିକ୍ ପାଇଁ ୟୁଜରଙ୍କୁ ମାସକୁ ୮ ଡଲାର (୬୬୦ ଟଙ୍କା) ଦେବାକୁ ପଡିବ। ଏହା ଲୋକଙ୍କୁ ଅଧିକ କ୍ଷମତାଶାଳୀ କରିବ ବୋଲି ସେ କହିଛନ୍ତି । ଏହା ସହିତ ସେ ବ୍ଲୁ ଟିକ୍ ସବସ୍କ୍ରିପସନ କଲେ କ’ଣ ସବୁ ସୁବିଧା ମିଳିବ ତାହା ମଧ୍ୟ ପ୍ରକାଶ କରିଛନ୍ତି |

ସେ ଲେଖିଛନ୍ତି ଯେ ବିଭିନ୍ନ ଦେଶର କ୍ରୟ କ୍ଷମତା ଅନୁଯାୟୀ ବ୍ଲୁ ଟିକ୍ ଚାର୍ଜ ସ୍ଥିର ହେବ। ଏହାର ଲାଭ ବିଷୟରେ ମସ୍କ ଟ୍ୱିଟରେ ଲେଖିଛନ୍ତି, ଏହା ଆପଣଙ୍କୁ ରିପ୍ଲାଏ, ମେନସନ୍ ଏବଂ ସର୍ଚ୍ଚରେ ପ୍ରାଥମିକତା ମିଳିବ, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଏତିକି ନୁହେଁ, ୟୁଜରମାନେ ଲମ୍ବା ଭିଡିଓ ଏବଂ ଅଡିଓ ପୋଷ୍ଟ କରିବାକୁ ମଧ୍ୟ ସକ୍ଷମ ହେବେ ବୋଲି ମସ୍କ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏଲନ୍ ମସ୍କ ସୋମବାର କହିଥିଲେ ଯେ ସେ ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟ କରିବେ। ନିକଟରେ ସେ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିଥିଲେ । ସେ ଗତ ସପ୍ତାହରେ ଟ୍ୱିଟରର ପୂର୍ବତନ ସିଇଓ ପରାଗ ଅଗ୍ରୱାଲ ଏବଂ ବରିଷ୍ଠ ଅଧିକାରୀ ମାନଙ୍କୁ ବରଖାସ୍ତ କରିଥିଲେ।

Comments are closed.