ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ଶପଥ ଗ୍ରହଣ ରୋକିବାକୁ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଥିବା ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ବିରୋଧରେ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ଶପଥ ଗ୍ରହଣ ରୋକିବା ପାଇଁ ଦାବି କରାଯାଇଥିଲା । ଏଥିରେ ଶୁଣାଣି ଯୋଗ୍ୟ କିଛି ନାହିଁ ବୋଲି କହି ସୁପ୍ରିମକୋର୍ଟ ଏହି ଆବେଦନ ଖାରଜ କରିଦେଇଥିଲେ ।

ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ନଭେମ୍ବର ୯ରେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ଜଷ୍ଟିସ ୟୁୟୁ ଲଲିତଙ୍କ ସ୍ଥାନରେ ସେ ଦେଶର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ଜଣେ ଓକିଲ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବିରୋଧରେ ଏହି ଆବେଦନ କରିଥିଲେ । ସେ ଯୁକ୍ତି କରିଥିଲେ ଯେ ଜଷ୍ଟିସ ଚନ୍ଦ୍ରଚୂଡ ପ୍ରଧାନ ବିଚାରପତି ପଦ ପାଇଁ ଯୋଗ୍ୟ ନୁହଁନ୍ତି । ତେବେ ଏହା ଏକ ବିଭ୍ରାନ୍ତିକର ପିଟିସନ କହି ଜଷ୍ଟିସ ରବିନ୍ଦ୍ର ଭଟ୍ଟ ଏବଂ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ଜଷ୍ଟିସ ଚନ୍ଦ୍ରଚୂଡ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବେ । ପ୍ରଧାନ ବିଚାରପତି ଭାବେ ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ହେବ । ଜଷ୍ଟିସ୍ ଚନ୍ଦ୍ରଚୂଡ ହେଉଛନ୍ତି ଦେଶର ସବୁଠୁ ଦୀର୍ଘ ଦିନ ଧରି ପ୍ରଧାନ ବିଚାରପତି ରହିଥିବା ଜଷ୍ଟିସ୍ ୟୁ.ଭି ଚନ୍ଦ୍ରଚୂଡଙ୍କ ପୁଅ । ତାଙ୍କ ପିତା ୨୨ ଫେବୃଆରୀ ୧୯୭୮ ରୁ ୧୧ ଜୁଲାଇ ୧୯୮୫ ପର୍ଯ୍ୟନ୍ତ ଦେଶରେ ସିଜେଆଇ ଥିଲା। ଜଷ୍ଟିସ୍ ଚନ୍ଦ୍ରଚୂଡ ୧୩ ମଇ ୨୦୧୬ରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ସେ ୧୦ ନଭେମ୍ବର ୨୦୨୪ରେ ଅବସର ନେବେ।

Comments are closed.