ଲାଲକିଲା ଆତଙ୍କୀ ଆକ୍ରମଣର ଦୋଷୀ ମହମ୍ମଦ ଆରିଫର ମୃତ୍ୟୁଦଣ୍ଡ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୦୦ ମସିହାରେ ଲାଲ୍ କିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାର ଦୋଷୀ ମହମ୍ମଦ ଆଶଫାକ ଆରିଫକୁ କୌଣସି ଆଶ୍ବସ୍ତି ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆରିଫର ମୃତ୍ୟୁଦଣ୍ଡ କାଏମ ରଖିଛନ୍ତି । ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ଵାଧୀନ ଏକ ଖଣ୍ଡପୀଠ ମୃତ୍ୟୁଦଣ୍ଡ ବିରୋଧରେ ଆରିଫର ରିଭ୍ୟୁ ପିଟିସନ କରିଦେଇଛନ୍ତି ।

ଲସ୍କର-ଏ-ତଇବା ଆତଙ୍କବାଦୀ ଆରିଫ୍ ୨୨ ଡିସେମ୍ବର ୨୦୦୦ରେ ଦିଲ୍ଲୀର ଲାଲ୍ କିଲାରେ ଏକ ସେନା ବାରାକ୍ ଉପରେ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ଆରିଫକୁ ୨୦୦୫ରେ ଦିଲ୍ଲୀର ଏକ ଟ୍ରାଏଲ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ । ପରେ ତଳ କୋର୍ଟର ଏହି ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ।

ଉକ୍ତ ଆତଙ୍କବାଦୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ଚାରି ଦିନ ପରେ ଆରିଫ୍ ଓ ତାର ପତ୍ନୀ ରେହମାନା ୟୁସୁଫକୁ ଗିରଫ କରାଯାଇଥିଲା। ୨୦୦୫ ରେ ଟ୍ରାଏଲ କୋର୍ଟ ଏହି ମାମଲାରେ ଆରିଫ୍ ସମେତ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

୨୨ ବର୍ଷ ତଳେ ଅର୍ଥାତ୍ ୨୨ ଡିସେମ୍ବର ୨୦୦୦ରେ କିଛି ବନ୍ଧୁକଧାରୀ ଲାଲ୍ କିଲା ନିକଟସ୍ଥ ଏକ ସେନା ବାରାକ୍ ଉପରେ ହଠାତ୍ ଆକ୍ରମଣ କରି ତିନି ଜଣଙ୍କୁ ହତ୍ୟା କରିଥିଲେ। ନିହତଙ୍କ ମଧ୍ୟରେ ସପ୍ତମ ରାଜପୁତାନା ରାଇଫଲ୍ସର ଦୁଇଜଣ ସୈନିକ ରହିଥିଲେ। ଏହି ଘଟଣାର ଚାରି ଦିନ ପରେ ମାଷ୍ଟର ମାଇଣ୍ଡ ତଥା ପାକିସ୍ତାନୀ ନାଗରିକ ଆରିଫକୁ ଗିରଫ କରାଯାଇଥିଲା।

Comments are closed.