ପଞ୍ଚୁକର ଦ୍ଵିତୀୟ ଦିନ; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ବାଙ୍କଚୂଡ଼ା ବେଶ

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ। ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ବିଭୂଷିତ ହୋଇଛନ୍ତି। ଆଜି ପଞ୍ଚୁକର ଦ୍ଵିତୀୟ ଦିନ। ଆଜି ବାଙ୍କଚୂଡ଼ା ବେଶରେ ବିଭୂଷିତ ହେବେ ମହାପ୍ରଭୁ।

ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ। କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁ ଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଆବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ,ଖୁଣ୍ଟିଆ,ଚାଙ୍ଗଡା ମେକାପ ଏବଂ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥାନ୍ତି।

ପୌରାଣିକ କଥା ଅନୁସାରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତ ଅକ୍ରୁର ମଥୁରା ନେବା ପାଇଁ ଗୋପ ଆସିଥିଲେ, ଏହି ବେଶରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେହି ସୃତିକୁ ଉଜ୍ଜୀବିତ କରିବା ପାଇଁ ପୁରୀ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍କଚୂଡ଼ା ବେଶ ପାଳିତ ହୋଇଆସୁଛି । ଏହି ବେଶର ବିଶେଷତ୍ୱ ଯେ ଜଗନ୍ନାଥ ଓ ବଳଭଦ୍ର ଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସା(ବେଣୀ)ର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ।

ସୂଚନାଯୋଗ୍ୟ ଏକ ଛୋଟ ସ୍ୱର୍ଣ୍ଣ କୀରିଟ ଠାକୁର ମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭା ପାଇ- ଥାଏ। ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ବ୍ୟବହୃତ ହୋଇ- ଥାଏ । ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳମୂଷଳ ଧାରଣ କରନ୍ତି। ଏହି ବେଶରେ ସୁଭଦ୍ରା ଙ୍କ ଆଭୂଷଣ ପରିବର୍ତ୍ତନ ହୁଏନାହିଁ । ମାତ୍ର ତାଙ୍କର ମସ୍ତକ ସୂବର୍ଣ୍ଣ କିଆରେ ଶୋଭିତହୁଏ। ଭୋଗ ମଣ୍ଡପ ଶେଷ ହେବାପରେ ଠାକୁର ମାନଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ ହୋଇଥାଏ।

Comments are closed.