ବଳାତ୍କାର ଅଭିଯୋଗରେ ଗିରଫ ଶ୍ରୀଲଙ୍କା କ୍ରିକେଟର୍ ଦନୁସ୍କା ଗୁଣତିଳକା ସବୁ ଫର୍ମାଟରୁ ନିଲମ୍ବିତ

କଲମ୍ବୋ: ବଳାତ୍କାର ଅଭିଯୋଗରେ ଗିରଫ କ୍ରିକେଟର ଦନୁସ୍କା ଗୁଣତିଳକାଙ୍କୁ ଶ୍ରୀଲଙ୍କା ବୋର୍ଡ ସମସ୍ତ ଫର୍ମାଟରୁ ନିଲମ୍ବିତ କରିଛି। ଶ୍ରୀଲଙ୍କା ଟି-୨୦ ବିଶ୍ୱକପ ଦଳର ଜଣେ ସଦସ୍ୟ ଗୁଣତିଳକାଙ୍କୁ ବଳାତ୍କାର ଅଭିଯୋଗରେ ରବିବାର ଅଷ୍ଟ୍ରେଲିଆ ପୋଲିସ ସିଡନୀରୁ ଗିରଫ କରିଥିଲା। ଶ୍ରୀଲଙ୍କା ଦଳ ନିଜ ବିଶ୍ବକପ୍ ଅଭିଯାନ ଶେଷ କରିବା ପରେ ରବିବାର ଗୁଣତିଳକାଙ୍କ ବିନା ସ୍ବଦେଶ ଫେରିଥିଲା।

ଅଷ୍ଟ୍ରେଲିଆ ପୋଲିସର ସୂଚନାନୁସାରେ, ଗୁଣତିଳକାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟା ମହିଳା ବଳାତ୍କାର ଅଭିଯୋଗ କରିଥିଲେ। ଦୁହେଁ ଏକ ଡେଟିଂ ଆପ୍ ଜରିଆରେ ଭେଟିଥିଲେ। ଗତ ବୁଧବାର ଗୁଣତିଳକା ମହିଳାଙ୍କୁ ଦୁଷ୍କର୍ମ କରିଥିବା ସ୍ଥାନୀୟ ପୋଲିସ ସେମାନଙ୍କ ରିପୋର୍ଟରେ କହିଛି। ଏହି ଗମ୍ଭୀର ମାମଲାରେ ଗୁଣତିଳକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଶ୍ରୀଲଙ୍କା ବୋର୍ଡ ତାଙ୍କୁ କ୍ରିକେଟର ସବୁ ଫର୍ମାଟରୁ ନିଲମ୍ବିତ କରିଛି।

ରବିବାର ଇଂଲଣ୍ଡକୁ ହରାଇବା ପରେ ଶ୍ରୀଲଙ୍କା ଦଳ ଟୁର୍ନାମେଣ୍ଟରୁ ବାଦ୍ ପଡିଥିଲା। ଶ୍ରୀଲଙ୍କା କ୍ରିକେଟ୍ ଏହି ମାମଲାରେ ପୂର୍ବରୁ ଏକ ବିବୃତ୍ତି ଜାରି କରି କହିଥିଲା ଯେ ଯଦି ଏହି ଖେଳାଳି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଟି-୨୦ ବିଶ୍ୱକପ ପ୍ରଥମ ରାଉଣ୍ଡରେ ଦନୁସ୍କା ଗୁଣତିଳକା ନାମିବ୍ୟା ବିପକ୍ଷରେ ଖେଳିଥିଲେ ଏବଂ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ । ଏହା ପରେ ଆହତ କାରଣରୁ ସେ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଥିଲେ। ଶ୍ରୀଲଙ୍କା ଦଳ ସୁପର ୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା, ​​କିନ୍ତୁ ଗ୍ରୁପ୍-୧ରେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା।

ନଭେମ୍ବର ୨୦୧୫ରେ ଡେବ୍ୟୁ କରିବା ପରଠୁ ଦନୁସ୍କା ଗୁଣତିଳକା ଶ୍ରୀଲଙ୍କା ପାଇଁ ୮ଟି ଟେଷ୍ଟ, ୪୭ ଟି ଦିନିକିଆ ଓ ୪୬ ଟି-୨୦ ଖେଳିଛନ୍ତି।

Comments are closed.