ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୯ ଦର୍ଶନ ବନ୍ଦ

ଭୁବନେଶ୍ବର -ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି କରାଯିବ । ଦ୍ଵିତୀୟ ଭୋଗମଣ୍ଡପ ନୀତି ପରେ ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ରଙ୍ଗରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆଜି ଅପରାହ୍ନ ୫ ଟାରୁ ରାତି ୯ ପର୍ଯ୍ଯନ୍ତ ପ୍ରାୟ ଚାରିଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ନୀତି ପରେ ଶ୍ରୀଜୀଉଙ୍କ ମହାସ୍ନାନ ପରେ ପୁଣି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ।

Comments are closed.