କାଲିଠୁ ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ, ବିଏମସି ଅଞ୍ଚଳରେ ଅଧାଦିନ ଛୁଟି ଘୋଷଣା 

ଭୁବନେଶ୍ୱର – ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ନିଜ ରାଜ୍ୟ ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । କାଲିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକଙ୍କ ସମ୍ମାନରେ ରାଜ୍ୟ ସରକାର ସମଗ୍ର ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଅଧା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ୧୦ ତାରିଖ ଦିନ ଗୋଟାଏରୁ ହେବ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ସବୁ ସରକାରୀ ଅଫିସ, ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ରହିବ। ରାଷ୍ଟ୍ରପତି ମୁର୍ମୁଙ୍କ ଗୃହ ରାଜ୍ୟକୁ ପ୍ରଥମ ଗସ୍ତ ସମ୍ମାନରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଛୁଟି ନେଇ ସୂଚନା ଦିଆଯାଇଛି ।

ରାଷ୍ଟ୍ରପତି ଆସନ୍ତାକାଲି ପ୍ରାୟ ଦିନ ୧୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବେ । ଏହାପରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଦର୍ଶନ ଶେଷ ହେବା ପରେ ପୁରୀ ରାଜଭବନକୁ ଯାଇ ସେଠାରେ ମହାପ୍ରସାଦ ସେବନ କରିବେ।

ରାଷ୍ଟ୍ରପତି ଅପରାହ୍ନରେ ଭୁବନେଶ୍ୱର ଫେରିବା ପରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ରାଜଭବନରେ ତାଙ୍କ ସମ୍ମାନାର୍ଥେ ସନ୍ଧ୍ୟାରେ ନାଗରିକ ସମ୍ବର୍ଦ୍ଧନା ଆୟୋଜନ କରାଯାଇଛି । ୧୧ ତାରିଖରେ ରାଷ୍ଟ୍ରପତି ଖଣ୍ଡଗିରିର ତପୋବନ ହାଇସ୍କୁଲ, ୟୁନିଟ୍ ୨ ସରକାରୀ ବାଳିକା ହାଇସ୍କୁଲ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ହଷ୍ଟେଲ ପରିଦର୍ଶନରେ ଯିବେ । ଜୟଦେବ ଭବନରେ ଓଡ଼ିଆ ଟେଷ୍ଟବୁକ୍ ଇ-କୁମ୍ଭର ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରେ ୩୪ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୨୦୦ ପୁଲିସ ଏସଆଇ ଓ ଏଏସଆଇ, ୬୨ଜଣ ଏସିପି, ୨୨ଜଣ ଅତିରିକ୍ତ ଡିସିପି ଓ ୪ଜଣ ଡିସିପି ର‌୍ୟାଙ୍କ ଅଫିସର ନିୟୋଜିତ ହୋଇଛନ୍ତି।

Comments are closed.