ଗୁଜରାଟ ନିର୍ବାଚନ: ବିଜେପି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ବି ମିଳିଲା ଟିକେଟ୍

ଅହମ୍ମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ କମିଟିର ମୋହର ପରେ ୧୬୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ୮୪ ଜଣ ଡିସେମ୍ବର ୧ରେ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଲଢ଼ିବେ ।

ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କୁ ଘାଟଲୋଡିଆ ଆସନରୁ ପ୍ରାର୍ଥୀ କରାଯାଇଛି। ଅନିରୁଦ୍ଧ ଭୋଇଙ୍କୁ ମାଣ୍ଡଭିରୁ ଟିକେଟ ଦିଆଯାଇଥିବାବେଳେ ଝୁଲାପୋଲ ଘଟଣାର ସାକ୍ଷୀ ଥିବା କାନ୍ତିଲାଲଙ୍କୁ ମୋର୍ବିରୁ ପ୍ରାର୍ଥୀ କରାଯାଇଛି । ଅଞ୍ଜରରୁ ତ୍ରିକାମ ଭାଇ ଏବଂ ଗାନ୍ଧୀଧାମରୁ ମାଳତୀ ବେନଙ୍କୁ ମନୋନୀତ କରାଯାଇଛି। କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ମଧ୍ୟ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ । ରିବାବାଙ୍କୁ ଜାମ ନାଗର ଉତ୍ତରରୁ ଟିକେଟ୍ ଦିଆଯାଇଛି। ରାଘବ ଜୀଙ୍କୁ ଜାମନଗର (ଗ୍ରାମାଞ୍ଚଳ) ଆସନ ଛାଡ଼ି ଦିଆଯାଇଛି।

ଉଦୟଭାଇଙ୍କୁ ରାଜକୋଟରୁ ଟିକେଟ ଦିଆଯାଇଥିବା ବେଳେ ପୋରବନ୍ଦରରୁ ବିଜେପି ବାବୁ ଭୋଇ ପୋଖରିଆ ଉପରେ ଭରସା ପ୍ରକଟ କରିଛି। ଭରୁଚରୁ ରମେଶ ଭାଇ ମିସ୍ତ୍ରୀଙ୍କୁ ପ୍ରାର୍ଥୀ କରାଯାଇଛି। ଜୟଶ ଭାଇଙ୍କୁ ଜୟନ୍ତପୁରରୁ ଟିକେଟ୍ ଦିଆଯାଇଛି।

ଗୁଜୁରାଟର ପ୍ରାୟ ୫ କୋଟି ଭୋଟର ଡିସେମ୍ବର ୧ ଓ ୫ରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଡିସେମ୍ବର ୮ରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ । ବିଜେପି ୨୭ ବର୍ଷ ଧରି ଗୁଜରାଟରେ ଶାସନ କରୁଥିବା ବେଳେ ଲଗାତାର ସପ୍ତମ ଥର ପାଇଁ ନିର୍ବାଚନ ଜିତିବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ଏଥର ବିଜେପିରୁ କ୍ଷମତା ଛଡ଼ାଇ ଆଣିବାକୁ ପ୍ରୟାସ କରିବେ। ତେବେ ନିକଟରେ ହୋଇଥିବା ଅଧିକାଂଶ ସର୍ଭେରେ ଏଥର ମଧ୍ୟ ବିଜେପି ଜିତିବ ବୋଲି ପୂର୍ବାନୁମାନ କରାଯାଇଛି।

Comments are closed.