ସେମିରେ ଇଂଲଣ୍ଡ ଠାରୁ ୧୦ ଓ୍ବିକେଟରେ ହାରି ଭାରତ ଟି-୨୦ ବିଶ୍ୱକପରୁ ବିଦା

ଆଡିଲେଡ୍: ଆଇସିସି ଇଭେଣ୍ଟରେ ପୁଣି ନକ୍ ଆଉଟ୍ ମ୍ୟାଚରେ ଝୁଣ୍ଟିଛି ଭାରତ । ଟି-୨୦ ବିଶ୍ୱକପର ଗୁରୁବାର ଏଠାରେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡ ଠାରୁ ଲଜ୍ଜାଜନକ ୧୦ ଓ୍ବିକେଟରେ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଭାରତ । ଏହି ଧମାକାଦାର ବିଜୟ ସହ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି । ରବିବାର ମେଲବର୍ଣ୍ଣରେ ଖେଳାଯିବାକୁ ଥିବା ଫାଇନାଲରେ ଇଂଲଣ୍ଡର ମୁକାବିଲା ପାକିସ୍ତାନ ସହ ହେବ ।

ସେମିଫାଇନାଲରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହାୟତାରେ ୬ ୱିକେଟ୍ ହରାଇ ୧୬୮ ରନ୍ କରିଥିଲା । ହେଲେ ଏହାର ଜବାବରେ ଇଂଲଣ୍ଡ ମାତ୍ର ୧୬ ଓଭରରେ କୌଣସି ଓ୍ବିକେଟ୍ ନ ହରାଇ ଅନାୟସେ ବିଜୟଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ଅଧିନାୟକ ଜୋସ୍ ବଟଲର୍ ଓ ଆଲେକ୍ସ ହେଲ୍ସ ବିସ୍ଫୋରକ ବ୍ୟାଟିଂ ସହ ପ୍ରଭାବହୀନ ଭାରତୀୟ ବୋଲିଂ ଆକ୍ରମଣକୁ ଧ୍ୱସ୍ତ କରି ଦେଇଥିଲେ। ହେଲ୍ସ ମାତ୍ର ୪୭ଟି ବଲରେ ୪ଟି ଚୌକା ଓ ୭ଟି ଛକା ସହ ଅପରାଜିତ ୮୬ ରନ୍ କରିଥିବା ବେଳେ ବଟଲର୍ ୪୯ଟି ବଲରେ ୯ଟି ଚୌକା ଓ ୩ଟି ଛକା ସହ ୮୦ ରନ୍ କରି ନଟ୍ ଆଉଟ୍ ରହିଥିଲେ ।

ପୂର୍ବରୁ ଇଂଲଣ୍ଡ ଅଧିନାୟକ ବଟଲର ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ତେବେ ଭାରତର ଦୁଇ ଓପନର କ୍ୟାପଟେନ ରୋହିତ ଶର୍ମା (୨୭) ଓ କେଏଲ ରାହୁଲ (୫) ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଫେଲ୍ ମାରିଥିଲେ । ସୂର୍ଯ୍ୟକୁମାର ଯାଦବ (୧୪) ମଧ୍ୟ ଶୀଘ୍ର ଆଉଟ୍ ହୋଇଯାଇଥିଲେ। ସେତେବେଳେ ଲାଗୁଥିଲା ଭାରତ ୧୫୦ ଅତିକ୍ରମ କରିବା କଷ୍ଟକର ହେବ । ହେଲେ ପାଣ୍ଡ୍ୟାଙ୍କ ଧୂଆଁଧାର ଇନିଂସ ସହ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୬ ଓ୍ବିକେଟ୍ ହରାଇ ୧୬୮ ରନ୍ କରିବାକୁ ସମର୍ଥ ହୋଇଥିଲା । ପାଣ୍ଡ୍ୟା ୩୩ ବଲରେ ୪ଟି ଚୌକା ଓ ୫ଟି ଛକା ସହ ଧୂଆଁଧାର ୬୩ ରନ୍ କରିଥିବା ବେଳେ କୋହଲି ୪୦ ବଲରେ ୪ଟି ଚୌକା ଓ ଗୋଟିଏ ଛକା ସହ ୫୦ ରନ୍ କରିଥିଲେ ।

Comments are closed.