ପଦ୍ମପୁର ଜିଲ୍ଲା ଗଠନ ଦାବିକୁ ବିଜେଡିର ସମର୍ଥନ

ଭୁବନେଶ୍ୱର – ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ବିଜୁ ଜନତା ଦଳର ପୂର୍ଣ୍ଣ ସମର୍ଥନ ରହିଛି। ଏହି ଦାବି ପୂରଣ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଯୁକ୍ତିଯୁକ୍ତ ଦାବିକୁ ଶୁଣିବା ସହିତ ସକାରାତ୍ମକ ଆଲୋଚନା କରିଥିବା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ।
ବିଧାୟକ ସୁଶାନ୍ତ ସିଂହ କହିଛନ୍ତି ଯେ ପଦ୍ମପୁରକୁ ଜିଲ୍ଲା ଗଠନ ପାଇଁ ଥିବା କ୍ରିୟାନୁଷ୍ଠାନ କମିଟି ତାଙ୍କ ନେତୃତ୍ୱରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଭୌଗଳିକ ସ୍ଥିତି ଦୃଷ୍ଟିରୁ ପଦ୍ମପୁର ଏକ ବଡ ଅଞ୍ଚଳ। ତେଣୁ ଏଭଳି ଦାବି ପ୍ରତି ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି। ସୁଶାନ୍ତ ସିଂହ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡିଶାର ୧୩ଟି ଜଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିଥିବାବେଳେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ୪ଟି ଜିଲ୍ଲା ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟରେ ଜିଲ୍ଲା ପୁର୍ନଗଠନ ବେଳେ ପଦ୍ମପୁରକୁ ନିଶ୍ଚିତ ଭାବେ ଜିଲ୍ଲା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ଦିନରେ ଏହି ଦାବି ନେଇ ଆମେ ସକାରାତ୍ମକ ଭାବେ ଲଢିବୁ ଏବଂ ପଦ୍ମପୁର ଯେଭଳି ଜିଲ୍ଲା ମାନ୍ୟତା ପାଇବ ସେଥିପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ବିଧାୟକ ସୁଶାନ୍ତ ସିଂହ କହିଛନ୍ତି।

Comments are closed.