ବ୍ରହ୍ମପୁର: ରାଜ୍ୟ ସାରା ଆରମ୍ଭ ହେଲାଣି ଶୀତ ପ୍ରକୋପ। ଉପକୂଳବର୍ତ୍ତୀ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପାରଦ ଧୀରେ ଧୀରେ ତଳମୁହାଁ ହେବାରେ ଲାଗିଛି। ଥଣ୍ଡାର ଲହରୀ ଆଗକୁ ବଢ଼ିବା ଅନୁମାନ କରାଯାଉଛି। ରାତିରେ କୁହୁଡ଼ି, ସକାଳେ କାକର ଲୋକଙ୍କୁ ଆମୋଦିତ କରୁଛି। ସକାଳୁଆ ଚାଲି, ଚାହା ଓ ବ୍ୟାୟାମ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି। ଲୋକେ ଶୀତ ବସ୍ତ୍ର ପରିଧାନ କରିବା ଆରମ୍ଭ କଲେଣି। ସେଥିପାଇଁ ଶୀତ ବସ୍ତ୍ର ବଜାରରେ ବିକ୍ରିବଟା ମଧ୍ୟ ବୃଦ୍ଧି ପାଇଛି। ଗାଁଗହଳରେ ଲୋକେ କାଠଗଣ୍ଡି ଲଗାଇ ନିଆଁ ପୁଇଁବାର ଦେଖିବାକୁ ମିଳୁଛି।
ଶୀତୁଆ ପରିବେଶର ମଜା ଉପଭୋଗ କରିବାକୁ ଶୀତ ଛୁଟିରେ ରାଜ୍ୟ ସମେତ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଛି। ବିଶେଷ କରି ରମ୍ଭା, ଗୋପାଳପୁର, ତପ୍ତପାଣି ଭଳି ଶୀତ ନିବାସ ସ୍ଥାନରେ ପରିଭ୍ରମଣକାରୀଙ୍କ ସମାଗମ ବୃଦ୍ଧି ପାଇବାରେ ଲାଗିଛି। ଶୀତର ପହିଲି ସ୍ପର୍ଶରେ ଲୋକେ ଆମୋଦପ୍ରମୋଦ ଦିଗକୁ କରିବାରେ ଲାଗିଛନ୍ତି। ଶୀତର ଆଗମନରେ ଗଞ୍ଜାମ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ଜିଲ୍ଲାର ଦିଗପହଣ୍ଡି, ରମ୍ଭା, ଚିକିଟି- ରଙ୍ଗେଇଲୁଣ୍ଡା, ଭଞ୍ଜନଗର ଆଦି ଜଳାଶୟପୂର୍ଣ୍ଣ ଅଞ୍ଚଳରେ ଦେଶର ଅନ୍ୟାନ୍ୟ ଅଞ୍ଚଳ ସମେତ କିଛି ବିଦେଶୀ ପକ୍ଷୀଙ୍କ ସମାବେଶ ଦେଖିବାକୁ ମିଳୁଥିଲା। ତେବେ ଚଳିତ ବର୍ଷ ଛତ୍ରପୁର ତହସିଲ ଅନ୍ତର୍ଗତ ପାଇକପଡା ଅଞ୍ଚଳରେ ବିରଳ ଗ୍ଲୋସୀ ଆଇବିସ୍ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ସେମାନଙ୍କ ଦଳରେ ପ୍ରାୟ ପଚାଶରୁ ଅଧିକ ପକ୍ଷୀ ରହିଛନ୍ତି। ଚାଷ ଜମି ଓ ଜଳାଶୟ ନିକଟରେ ଦଳ ଦଳ ହୋଇ ଖାଦ୍ୟ ଅନ୍ବେଷଣ କରୁଛନ୍ତି। ଖାଦ୍ୟ ସନ୍ଧାନରେ ସୁଦୂର ମଧ୍ୟ-ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆରୁ ଏହି ପ୍ରଜାତିର ପକ୍ଷୀ ଆସିଥିବା କହିଛନ୍ତି ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର ଓ ପକ୍ଷୀପ୍ରେମୀ ବିଜେନ୍ଦ୍ର ମାଝୀ। ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ବିବିଧତା ଦୃଷ୍ଟିରୁ ଏହି ବିଦେଶୀ ପକ୍ଷୀଙ୍କ ଆଗମନ ବେଶ୍ ମହତ୍ତ୍ଵ ରଖେ।
Comments are closed.