ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଟି୨୦ ସିରିଜ୍

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଟି୨୦ ବିଶ୍ୱକପ ନିରାଶା ପରେ ଭାରତ ଏହି ଫର୍ମାଟରେ ଏକ ନୂଆ ଆରମ୍ଭ କରିବା ଲକ୍ଷ୍ୟରେ ରହିବ । ଭାରତ ବିଶ୍ୱକପ ଭୁଲରୁ ଶିକ୍ଷାଲାଭ କରିବା ସହ ପୁରୁଣାକାଳିଆ ରଣନୀତି ଛାଡ଼ି ଆକ୍ରମଣାତ୍ମକ ଆଭିମୁଖ୍ୟ ସହ ପଡ଼ିଆକୁ ଓହ୍ଲାଇବ ।

ୟୁଏଇରେ ଗତବର୍ଷର ବିଶ୍ୱକପ ବିପର୍ଯ୍ୟୟ ପରେ ଭାରତ ୨୦୨୨ ସଂସ୍କରଣ ପୂର୍ବରୁ ଭାରତ ଏହି ଫର୍ମାଟରେ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲା । ହେଲେ ବିଶ୍ୱକପରେ ଭାରତର ଟପ୍ ଅର୍ଡର ଆକ୍ରମଣାତ୍ମକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ଫଳସ୍ୱରୂପ ଭାରତ ପୁଣି ନକ୍ ଆଉଟ ମ୍ୟାଚରେ ହାରି ବିଦା ହୋଇଥିଲା । ଆଇସିସି ଟ୍ରଫି ପାଇଁ ଭାରତର ୯ ବର୍ଷର ଅପେକ୍ଷା ବଢିଥିଲା ।

ପରବର୍ତ୍ତୀ ବିଶ୍ୱକପ (୨୦୨୪)କୁ ଆଉ ଦୁଇ ବର୍ଷ ରହିଥିବା ବେଳେ ଏକ ନୂଆ ଦଳ ଗଢିବା ପାଇଁ ଭାରତ ପାଖରେ ଯଥେଷ୍ଟ ସମୟ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଏହି ଅଭିଯାନ ଆରମ୍ଭ ହେବ । ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ୱ ନେବେ । ରୋହିତଙ୍କ ସହ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ମଧ୍ୟ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ଏଭଳି ସ୍ଥଳେ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସ୍ଥାନ ସୁଦୃଢ କରିବା ପାଇଁ ଏହି ସିରିଜ୍ ଏକ ସୁଯୋଗ ହେବ । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣ ଦଳର କୋଚ୍ ଦାୟିତ୍ୱ ତୁଲାଇବେ । ଲକ୍ଷ୍ମଣ ସ୍ପଷ୍ଟ କରିସାରିଛନ୍ତି ଯେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ କେବଳ ଟି୨୦ ସ୍ପେଶାଲିଷ୍ଟଙ୍କୁ ସୁଯୋଗ ଦିଆଯିବ ।

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ବିରାଟ କୋହଲିଙ୍କୁ ଜବରଦସ୍ତ ଫର୍ମରେ ଦେଖିବାକୁ ମିଳିଥିଲା । ହେଲେ ପାୱାରପ୍ଲେ’ରେ ରୋହିତ ଓ ରାହୁଲଙ୍କ ରକ୍ଷଣଶୀଳ ବ୍ୟାଟିଂ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏଭଳି ବ୍ୟାଟିଂ ରଣନୀତି ପାଇଁ ରୋହିତ ଓ ରାହୁଲ ସମାଲୋଚିତ ହୋଇଥିଲେ । ଏ ଦୁହିଁଙ୍କ ସହ କୋହଲି ୨୦୨୪ ପର୍ଯ୍ୟନ୍ତ ଏହି ଫର୍ମାଟରେ ଖେଳିବା ସମ୍ଭାବନା କମ୍ ଥିବାବେଳେ ଭାରତକୁ ପରବର୍ତ୍ତୀ ବିଶ୍ୱକପ ପାଇଁ ଏବେଠୁଁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ ।

ରୋହିତ ଓ ରାହୁଲଙ୍କ ଅନୁପସ୍ଥିତିରେ ନ୍ୟୁଜିଲାଣ୍ଡ ସିରିଜରେ ଇଶାନ କିଶାନ ଓ ଶୁଭମାନ ଗିଲ ଇନିଂସ୍ ଓପନ କରିପାରନ୍ତି । ରିଷଭ ପନ୍ତଙ୍କୁ ମଧ୍ୟ ଓପନିଂ ସୁଯୋଗ ମିିଳିପାରେ । ଭାରତ ଏହି ଗସ୍ତ ପାଇଁ ଏକ ଦ୍ୱିତୀୟ ସ୍ତରୀୟ ଦଳ ମନୋନୀତ କରିଥିଲେ ମଧ୍ୟ କିଛି ଖେଳାଳିଙ୍କ ପାଖରେ ଅନ୍ତର୍ଜାତୀୟ ଅଭିଜ୍ଞତା ରହିଛି । ଭବିଷ୍ୟତ ଷ୍ଟାର ଭାବେ ବିବେଚିତ ଗିଲ୍ ଏହି ସିରିଜରୁ ନିଜ ଅନ୍ତର୍ଜାତୀୟ ଟି୨୦ ଡେବ୍ୟୁ କରିପାରନ୍ତି । କିଶାନ ପୂର୍ବରୁ ଭାରତ ପାଇଁ ଟି୨୦ ଖେଳିଛନ୍ତି ଏବଂ ଏହି ସିରିଜ ତାଙ୍କୁ ଦଳର ସ୍ଥାୟୀ ଓପନର ହେବାକୁ ଆୁ ଏକ ସୁଯୋଗ ଦେବ । ସେହିପରି ସଞ୍ଜୁ ସାମସନ ମଧ୍ୟ ସୁଯୋଗର ହାତଛଡ଼ା କରିବାକୁ ଚାହିଁବେନି । ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ସଠିକ ସନ୍ତୁଳନ ଦେବ ବୋଲି ଆଶା କରାଯାଉଛି ।

Comments are closed.