ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୪ ବର୍ଷ, ଷଡ଼ଯନ୍ତ୍ରକାରୀଙ୍କୁ ଶାସ୍ତି ଦେବାକୁ ଦାବି ଦୋହରାଇଲା ଭାରତ

ନୂଆଦିଲ୍ଲୀ: ଆଜି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରିଛି ୧୪ ବର୍ଷ । ଆଜିର ଦିନରେ (ନଭେମ୍ବର ୨୬) ୨୦୦୮ରେ ଆତଙ୍କବାଦୀଙ୍କ ଆକ୍ରମଣରେ ରକ୍ତରଞ୍ଜିତ ହୋଇଥିଲା ମୁମ୍ବାଇ ନଗରୀ । ପାକିସ୍ତାନର ଚାରି ଲଶ୍କର ଆତଙ୍କବାଦୀ ତାଜ ହୋଟେଲ ସମେତ ଦଶଟି ସ୍ଥାନରେ ସଶସ୍ତ୍ର ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଯୋଗୁଁ ୪ ଦିନରେ ୧୪୦ଜଣ ଭାରତୀୟ ଏବଂ ଆଉ ୨୩ଟି ଦେଶର ୨୬ଜଣ ନାଗରିକ ପ୍ରାଣ ହରାଇଥିଲେ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୪ ବର୍ଷ ପୁରିଥିଲେ ହେଁ ଏହି ଆକ୍ରମଣର ମୁଖ୍ୟ କାର୍ପଟଦାର ମାନଙ୍କୁ ପାକିସ୍ତାନ ସଜା ଦେବା ପରିବର୍ତ୍ତେ ସୁରକ୍ଷା ଦେଉଛି । ଭାରତ ୨୬/୧୧ର ଷଡ଼ଯନ୍ତ୍ରକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି ପୁଣି ଦୋହରାଇଛି ।

ଆତଙ୍କବାଦୀ ଆକ୍ରମଣରେ ନିହତ ଲୋକଙ୍କୁ ମନେ ପକାଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଯେଉଁମାନେ ଏହି ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିଲେ ସେମାନଙ୍କୁ କାଠଗଡ଼ାକୁ ଆଣିବାକୁ ପଡ଼ିବ।

ଟ୍ୱିଟରରେ ଏକ ଭିଡିଓ ବିବୃତ୍ତିରେ ଜୟଶଙ୍କର କହିଛନ୍ତି ଯେ ୧୪ ବର୍ଷ ପୂର୍ବେ ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇ ସହର ଆମ ସମୟର ସବୁଠାରୁ ଭୟାବହ ଆତଙ୍କବାଦୀ ଆକ୍ରମଣର ସାକ୍ଷୀ ରହିଥିଲା।

“ଚାରି ଦିନ ମଧ୍ୟରେ ଏହି ଆକ୍ରମଣରେ ୧୪୦ ଜଣ ଭାରତୀୟ ଏବଂ ୨୬ଟି ଦେଶର ୨୬ ନାଗରିକ ପ୍ରାଣ ହରାଇଥିଲେ। ବିଶ୍ୱ ସମୁଦାୟର ଜଣେ ଦାୟିତ୍ବବାନ ସଦସ୍ୟ ଭାବେ ସେହି ଘଟଣାକୁ ମନେ ରଖିବା ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କୁ କାଠଗଡ଼ାକୁ ଆଣିବା ଆମର ଦାୟିତ୍ବ ଅଟେ।

“ଯେତେବେଳେ ବି ଆତଙ୍କବାଦ କଥା ଉଠେ, ଭାରତ ଏହି ପ୍ରସଙ୍ଗକୁ କଦାପି ଅଣଦେଖା କରିବ ନାହିଁ କିମ୍ବା ଏହା ସହ ସାଲିସ୍ କରିବ ନାହିଁ।
ଆତଙ୍କବାଦ ପୀଡିତଙ୍କୁ ନ୍ୟାୟ ଦେବା ପାଇଁ ଆମେ ଆମର ସଂକଳ୍ପ ଛାଡିବୁ ନାହିଁ। ସାରା ବିଶ୍ୱର ଆତଙ୍କବାଦ ପୀଡିତଙ୍କୁ ନ୍ୟାୟ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।”

୨୬/୧୧ର ଚାରି ଆକ୍ରମଣକାରୀଙ୍କ ମଧ୍ୟରୁ କେବଳ ଅଜମଲ କସାବକୁ ଜୀବିତ ଧରାପଡ଼ିଥିଲା । ୨୦୧୨ରେ କସାବକୁ ଫାଶୀ ଦିଆଯାଇଥିଲା। ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ର ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଇବା ଦ୍ୱାରା ରଚା ଯାଇଥିଲା ଓ ଏହାକୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ସମର୍ଥନ ଓ ସହାୟତା କରିଥିଲା ବୋଲି ଭାରତ ଅଭିଯୋଗ କରିଆସୁଛି । ଭାରତ ସରକାରଙ୍କ କହିବାନୁସାରେ, ଲଶ୍କର ତଥା ଜମାତ୍-ଉଦ୍-ଦାଓ୍ବା ମୁଖ୍ୟ ହାଫିଜ ସଇଦ୍ ହେଉଛି ୨୬/୧୧ର ମାଷ୍ଟରମାଇଣ୍ଡ ।

Comments are closed.