କଳାହାଣ୍ଡିର କାରୁଣ୍ଡ ଶ୍ରୀକ୍ଷେତ୍ର

ଓଡ଼ିଆଙ୍କର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କ ମହିମା ଅପାର ! ସେ କେବେ କେଉଁଠି ନିଜ ଆସ୍ଥାନ ଜମାଇବେ ସେ କଥା ତାଙ୍କୁ ହିଁ ଗୋଚର । ସେଇଥିପାଇଁ ତ କେହି କେବେ ଚିନ୍ତା କରିନଥିବା କଳାହାଣ୍ଡି ଜିଲ୍ଲାର ଏଇ ସ୍ଥାନ ଗତ କେଇବର୍ଷ ହେବ ‘କାରୁଣ୍ଡ ଶ୍ରୀକ୍ଷେତ୍ର’ ଭାବେ ଖ୍ୟାତି ଅର୍ଜନ କରିଛି ।

କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ପଶ୍ଚିମକୁ ୬ କି.ମି. ଦୂରରେ ଉତ୍ତେଇ କେନାଲ କୂଳରେ ରହିଛି ପତିତପାବନ ଡଙ୍ଗର (ପାହାଡ଼) । ସେଠାରେ ପ୍ରତିଷ୍ଠିତ ହୋଇଛି ଜୟ ଜଗନ୍ନାଥ ଆଶ୍ରମ ଓ ତୋଳାଯାଇଛି ଏକ ସୁନ୍ଦର ବଡ଼ଦେଉଳ । ଏଠାକାର ବିଶେଷତ୍ତ୍ୱ ହେଉଛି ମହାପ୍ରଭୁଙ୍କ ପ୍ରତୀକ ଭାବେ ତିନୋଟି ଉତୁଙ୍ଗ ପାହାଡ଼ ଦଣ୍ଡାୟମାନ।

କଳାହାଣ୍ଡି ଜିଲ୍ଲାର ପ୍ରାଚୀନ ନାମ କାରୁଣ୍ଡ, ତେଣୁ କ୍ଷେତ୍ରରନାମ କାରୁଣ୍ଡ ଶ୍ରୀକ୍ଷେତ୍ର। ସର୍ବଧର୍ମ ସମନ୍ବୟ ଜଗନ୍ନାଥ ସଂସ୍କୃତିକୁ କେନ୍ଦ୍ରକରି ଜୟଜଗନ୍ନାଥ ଆଶ୍ରମ ତଥା ଜୀବନଶିକ୍ଷା ବିଶ୍ବବିଦ୍ୟାଳୟ ୧୯୮୩ ମସିହା ଫେବୃୟାରୀ ୨୦ ତାରିଖରେ ସ୍ଥାପିତ ହୁଏ।

ଏହି କାରୁଣ୍ଡ ଶ୍ରୀକ୍ଷେତ୍ରର ପ୍ରବେଶ ଦ୍ବାରରେ ହନୁମାନ ଓ ମା’ ସନ୍ତୋଷୀ ମନ୍ଦିର ବିଦ୍ୟମାନ। ଦ୍ୱାରଦେଶର ଅନତିଦୂରରେ ରହିଛି ବଳଭଦ୍ର ପାହାଡ଼ । ଏହି ପାହାଡ଼ର ଉଚତା ୩୪ ଫୁଟ । ଏହାର ଶିଖରରେ ପ୍ରତିଷ୍ଠା ହୋଇଛି ବଡ଼ଦେଉଳ, ଯାହାର ଗୋଲେଇ ୧୩୨ଫୁଟ ହୋଇଥିବାବେଳେ ଉଚ୍ଚତା ୬୬ ଫୁଟ । ପଞ୍ଚତଳ ବିଶିଷ୍ଟ ମନ୍ଦିରର ପ୍ରଥମ ମହଲାରେ ଭଗବାନ ରାମସୀତା ଓ ରାଧାକୃଷ୍ଣ, ଦ୍ବିତୀୟ ମହଲାରେ ଚତୁର୍ଦ୍ଧାମୂର୍ତ୍ତି, ତୃତୀୟ ମହଲାରେ ବଳଭଦ୍ର ଭଗବାନ ପୀଠାଧୀଶ, ଚତୁର୍ଥ ମହଲାରେ ମହାଯୋଗେଶ୍ବର, ପଞ୍ଚମ ମହଲାରେ କଳକୀ ଅବତାର ଓ ସବା ଉପରେ ମୁକ୍ତ ମହଲାରେ ଶୂନ୍ୟମନ୍ଦିର ପ୍ରତିଷ୍ଠା ହୋଇଛି ।

ଏହାପରେ ରହିଛି ଦେବୀସ୍ବରୂପା ବେଲଗଛ ଓ ଖଇରଗଛ ସନ୍ନିବେଶିତ ଧବଳ-ହଳଦୀ ରଙ୍ଗର ସୁଭଦ୍ରା_ପାହାଡ଼। ଏହାର ଉଚ୍ଚତା ୧୨ ଫୁଟ । ତା’ପରେ ରହିଛି ୩୩ଫୁଟ ଉଚ୍ଚର କଳାରଙ୍ଗର ଜଗନ୍ନାଥ_ପାହାଡ଼ । ଜଗନ୍ନାଥଙ୍କ ପ୍ରତୀକ ସ୍ଵରୂପ ଏଠାରେ ରହିଛି ଅସୁମାରୀ ବଣତୁଳସୀ ଓ ଶେଫାଳୀ ବୃକ୍ଷ ।

ବଡ଼ଦେଉଳରୁ ୩ କି.ମି. ଦୂରରେ ମାଉସୀମା ମନ୍ଦିର ଅବସ୍ଥିତ। ଏ କ୍ଷେତ୍ରର ଉତ୍ତର ଦିଗରେ ନବଗ୍ରହ ପାହାଡ଼ ଅବସ୍ଥିତ ଓ ଏଠାରେ ୯ଟି ଶୃଙ୍ଗ ବିଦ୍ୟମାନ। ଉକ୍ତ ପବିତ୍ର କ୍ଷେତ୍ରର ପ୍ରତିଷ୍ଠା ପଛରେ ରହିଛି ଜୟ ଜଗନ୍ନାଥ ଆଶ୍ରମର ଆଦିଆଚାର୍ଯ୍ୟ ୰ଭୋଳାନାଥ ଦାଶକର୍ମୀ ମହୋଦୟଙ୍କ ନିରବଚ୍ଛିନ୍ନ ଅଧ୍ୟବସାୟ ଓ ତ୍ୟାଗ । କ୍ଷେତ୍ରର ପ୍ରଥମ ଗଜପତି ଦିବ୍ୟସିଂହ ମାଝୀଙ୍କ ଦେହାନ୍ତ ଅନ୍ତେ ରଥଯାତ୍ରାରେ ଛେରାପହରା କରି ଆସୁଛନ୍ତି ଦ୍ଵିତୀୟ ଗଜପତି । ଏହାର ତତ୍ତ୍ଵାବଧାନ କରନ୍ତି ଆଚାର୍ଯ୍ୟପାଦ ବିଷ୍ଣୁମୋହନ ଦାଶକର୍ମୀ, ଗୁରୁମାତା ଭାର୍ଗବୀ ଦାଶକର୍ମୀ ଏବଂ ତାଙ୍କ ପୁଅ ଜଗନ୍ନାଥ ଦାଶକର୍ମୀ । କଳାହାଣ୍ଡି ସମେତ ବଲାଙ୍ଗୀର, ରାୟଗଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର ଆଦି ଜିଲ୍ଲା ଏବଂ ଛତିଶଗଡ଼ ରାଜ୍ୟରୁ ସମ୍ମିଳିତ ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ରଥତ୍ରୟରେ ବିରାଜନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ହିଁ ଟାଣିଥା’ନ୍ତି ।

ପୁରୀ ଦେଉଳର ନୀତି ଅନୁସାରେ ଏଠାରେ ସମସ୍ତ ନୀତି ଅନୁସୃତ ତଥା ପର୍ବପର୍ବାଣୀ ପାଳିତ ହୋଇଥାଏ। ତେବେ ଶ୍ରୀମନ୍ଦିର କେବଳ ହିନ୍ଦୁଙ୍କ ପାଇଁ ପ୍ରବେଶ ମୁକ୍ତ ଥିବାବେଳେ ଏଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଭିଙ୍କ ଲାଗି ଦ୍ଵାର ଉନ୍ମୁକ୍ତ ରହିଥାଏ । କଳାହାଣ୍ଡିର ଏହି କାରୁଣ୍ଡ ଶ୍ରୀକ୍ଷେତ୍ର ଭବିଷ୍ୟତରେ ସମଗ୍ରରାଜ୍ୟ ଓ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଛି।

Comments are closed.