ନବୀନଙ୍କ କ୍ରେଜ ଆଗରେ ବିଜେପି ଚିତପଟାଙ୍ଗ: ନୃସିଂହନାଥ ମାଟିରେ ଶଂଖନାଦ

ସମ୍ବଲପୁର : ଶେଷରେ ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ବହପିଆଙ୍କ ବହପ ପାଣିରେ ମିଶିଗଲା। ବିଜେପିର ସବୁ ମିଛ ପ୍ରତିଶ୍ରୁତି, ସବୁ ମିଛ ପ୍ରତାରଣାର କଡା ଗଣ୍ଡା ହିସାବ ଦେଇଛନ୍ତି ପଦ୍ମପୁରବାସୀ। ଆଉ ପୁଣି ଥରେ ସୁଶାସନ ଏବଂ ବିକାଶ ସପକ୍ଷରେ ଅଜାଡି ଦେଇଛନ୍ତି ଅଭୂତପୂର୍ବ ସମର୍ଥନ। ପଦ୍ମପୁର ଉପନିର୍ବାଚନରେ ଆଜିର ଫଳାଫଳ ପୁଣି ଥରେ ବିଜେଡିର ବିକାଶମୁଖୀ ରାଜନୀତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଭାବମୂର୍ତ୍ତିକୁ ହୀରା ପରି ଆହୁରି ଜାଜ୍ଜ୍ବଲ୍ୟମାନ କରି ଦେଇଛି। ବିଜେପି ଚିତପଟାଙ୍ଗ ମାରିଥିବା ବେଳେ ବିଜେଡି ପ୍ରାର୍ଥିନୀ ତଥା ଦିବଂଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କୁ ପଦ୍ମପୁରବାସୀ ବିପୁଳ ଭୋଟରେ ବିଜୟୀ କରାଇଛନ୍ତି। ଏହା ସାଙ୍ଗକୁ ଜଣେ ନାରୀ ପ୍ରତି ଅପମାନର କଡା ଜବାବ ଦେଇଛନ୍ତି ବୁଢାସମ୍ବର ମାଟିର ସ୍ବାଭିମାନୀ ଜନତା। ଗୁରୁତ୍ବପୂର୍ଣ କଥା ହେଉଛି ଯେ, ପରୋକ୍ଷରେ ଏହି ହାଇଭୋଲଟେଜ୍ ନିର୍ବାଚନକୁ ୨୦୨୪ ପୂର୍ବରୁ ସେମିଫାଇନାଲ ବୋଲି ଖୋଦ୍ ବିଜେପି ନେତା ବି ସ୍ବୀକାର କରି ଆସିଥିଲେ। ଆଉ ଆଜିର ଫଳାଫଳ ପରେ ଫାଇନାଲ ମ୍ୟାଚର ଫଳାଫଳକୁ ନେଇ ଏବେ ଠାରୁ ଗେରୁଆ ଶିବିରରେ ନୈରାଶ୍ୟର ଛାଇ ଖେଳି ଗଲାଣି।

ବିଜେଡିର ବିଜୟ ଯାତ୍ରାରେ ଧାମନଗରରେ ବ୍ୟତିକ୍ରମ ଘଟିଥିଲା। ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପ୍ରତି ଥିବା ଲୋକଙ୍କ ସହାନୁଭୂତିକୁ ତାଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ ଆୟୁଧ କରି ବିଜୟୀ ହୋଇଥିଲେ। ସେହିପରି ଅନ୍ୟ ଉପନିର୍ବାଚନ ପରି ବିଜେଡି ଏଠାରେ ସେତେଟା ଗୁରୁତ୍ବ ଦେଇନଥିବା ଦେଖିବାକୁ ମିଳିଥିଲା। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜେ ପ୍ରଚାର ପାଇଁ ଯାଇନଥିଲେ। ଏଭଳି ସ୍ଥିତିରେ ଦୀର୍ଘ ବର୍ଷ ପରେ ଧାମନଗରରେ ବିଜେପି ପ୍ରଥମ କରି ବିଜୟର ସ୍ବାଦ ଚାଖିବା ପରେ ମାତ୍ରାଧିକ ଉତଫୁଲ୍ଲିତ ହୋଇଯାଇଥିଲା। ଆଉ ପଦ୍ମପୁର ଉପନିର୍ବାଚନରେ ବି ଅନୁରୂପ ବିଜୟ ନେଇ ଦଳ ଆଗୁଆ ବହପ ମାରିବା ଆରମ୍ଭ କରିଥିଲା।

ଏପରିକି ୨୦୨୪ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଏହି ନିର୍ବାଚନରେ ମଧ୍ୟ ଦଳ ବିଜୟ ଲାଭ କରି ଆଗାମୀ ସାଧାରଣ ନିର୍ବାଚନରେ ସରକାର ଗଢିବା ଯାଏ ବି ସ୍ବପ୍ନ ଦେଖିବା ଆରମ୍ଭ କରିଥିଲା। ଏଥିପାଇଁ ପ୍ରଥମ କରି ବିଜେପି ଏଠାରେ ତାର ସବୁ ବଳ ଖଟାଇ ଦେଇଥିଲା। ଅଭିଜ୍ଞ ନେତା ତଥା ପୂୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଦଳ ପ୍ରାର୍ଥୀ ବି କରିଥିଲା। ପ୍ରଥମ କରି ଏହି ନିର୍ବାଚନରେ ଦଳ ତାର ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟର ସମସ୍ତ ସାଂସଦ, ବିଧାୟକଙ୍କୁ ଏଠାରେ ନିୟୋଜିତ କରିଥିଲା। ଆଉ ଏହି ନେତାମାନେ ପ୍ରଥମତଃ ପ୍ରତିଟି କେନ୍ଦ୍ରର ପ୍ରତାରଣା ପ୍ରସଙ୍ଗରେ ଲୋକଙ୍କୁ ଭୁଆଁ ବୁଲାଇଥିବା ବେଳେ ରାଜ୍ୟ ସରକାରଙ୍କ ବିକାଶ ପ୍ରସଙ୍ଗକୁ କାଉଣ୍ଟର କରି ନପାରି ବିଲିବିଲେଇ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ପଦ୍ମପୁରବାସୀ ଠିକ୍ ଭାବେ ପରଖିବାରୁ ଏବେ ଦଳ ସାଂଘାତିକ ପରାଜୟର ସମ୍ମୁଖୀନ ହୋଇଛି।

ବିଶେଷ କରି ବରଗଡ- ନୂଆପଡା ଭାୟା ପଦ୍ମପୁର ରେଳ ଲାଇନ ପ୍ରକଳ୍ପ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରସଙ୍ଗରେ ଲୋକଙ୍କୁ ଭକୁଆ ବନାଇଥିବାରୁ ଏହା ଦଳକୁ ଗୁରୁତର କ୍ଷତିରେ ପହଞ୍ଚାଇଥିବା କୁହାଯାଉଛି। ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଏହି ସମସ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜେ ପଦ୍ମପୁରକୁ ଆସି ଲୋକଙ୍କ ଆଗରେ କଡା ଜବାବ ରଖିବା ପରେ ବିଜେପିର ଅସଲ ଚେହେରା ପଦାରେ ପଡିଥିବା ଆଲୋଚନା ହୋଇଥିଲା। ସେପଟେ, ବର୍ଷାଙ୍କ ପ୍ରାର୍ଥୀତ୍ବ ପ୍ରତି ବାରମ୍ବାର କୁତ୍ସାରଟନା ଏବଂ ବିଜୟ ବାବୁଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତି ଲୋକଙ୍କ ସମବେଦନା ଏବଂ ଝିଅ ବର୍ଷାଙ୍କ ଲୁହକୁ ଅପମାନ ଦ୍ବାରା ବିଜେପିର ନେତାମାନେ ନିନ୍ଦିତ ହୋଇଆସିଥିଲେ।

ବିଶେଷ କରି ଦଳୀୟ ନେତାଙ୍କ ଆଚରଣ ଏବଂ ଉଚ୍ଚାରଣ ଏହି ନିର୍ବାଚନରେ ସୀମା ଲଂଘିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ହିଂସାକୁ ଉସୁକାଇବା ଭଳି ଘଟଣା ବିଜେପିର ପରାଜୟର ବାଟ ଫିଟାଇଥିଲା ବୋଲି ଏବେ ଚର୍ଚ୍ଚା ହେଲାଣି। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସାଙ୍ଗକୁ ରେଳ ଲାଇନ ସଂଯୋଗ ଏବଂ ଅନେକ କେନ୍ଦ୍ରୀୟ ଅନୁଷ୍ଠାନ ଖୋଲିବାକୁ ଘୋଷଣା କରିଥିଲେ ହେଁ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ଅର୍ଦ୍ଧାଧିକ ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରୁଥିବା ବେଳେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରୁଛନ୍ତି। ଏପଟେ, ସୁନା ବେପାରୀଙ୍କୁ ମାତ୍ର ୩ ପ୍ରତିଶତ ଜିଏସଟି ଲାଗୁ କରିବା କଣ ଗରିବଙ୍କ ସରକାର କି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ବିଜେପିର ସମସ୍ତ କୁହାଳିଆ ନେତାଙ୍କୁ ଅଡୁଆରେ ପକାଇଥିଲା।

ଏହି ସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ମଧ୍ୟରେ କେନ୍ଦ୍ର ସରକାର ପ୍ରତି ଥିବା ବିମୁଖତା ଏବେ ବିଜେପିର ପରାଜୟର କାରଣ ହୋଇଥିବା ବିଶେଷଜ୍ଞ ମହଲରେ ଆଲୋଚନାର ବିଷୟ ହୋଇଛି। ବିଜୟ ବାବୁଙ୍କ ଅଧୁରା ରହିଥିବା ବିକାଶ ପ୍ରକଳ୍ପକୁ ଆଗେଇ ନେବାକୁ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ଲୋକେ ଅକୁଣ୍ଠ ସମର୍ଥନ ଦେଇଥିବା ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି। ଆଉ ପୁଣି ପୂର୍ବବତ୍ ପଦ୍ମପୁର ବିଜେଡିର ଗଡ ଭାବେ ପ୍ରମାଣିତ ହୋଇଛି।
ଅନ୍ୟ ପ୍ରସଙ୍ଗରେ ଏହି ପରାଜୟ ପରୋକ୍ଷରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ପୁଣି ସାଂଘାତିକ ପରାଜୟ ପାଇଁ ବାଟ ଫିଟାଇଲା ବୋଲି ଏବେ ସାରା ପଶ୍ଚିମ ଓଡିଶାରେ ଚର୍ଚ୍ଚା ସରଗରମ ହୋଇଛି।

Comments are closed.