ଗମ୍ଭୀରଙ୍କ ଦ୍ୱାରା କୋଭିଡ୍ ଔଷଧ ବଣ୍ଟନ ମାମଲାର ତଦନ୍ତ କରିବାକୁ ଡିସିଜିଆଇକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ପକ୍ଷରୁ ଲୋକଙ୍କୁ କୋଭିଡ୍ ଔଷଧ ବଣ୍ଟନ ମାମଲାର ତଦନ୍ତ କରିବାକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଭାରତୀୟ ଔଷଧ ନିୟନ୍ତ୍ରକ ‘ଡିସିଜିଆଇ’କୁ ନିର୍ଦ୍ଦେଶ ଦେଇଛନ୍ତି ।

ରୋଗୀଙ୍କୁ କୋଭିଡ୍ ଔଷଧ ସହଜରେ ମିଳୁନଥିବା ବେଳେ ଗମ୍ଭୀର ଓ ଅନ ଦୁଇ ବ୍ୟକ୍ତି ଏହିଭଳି ଔଷଧ ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ ଦାବିରେ ଆଗତ ଏକ ପିଟିସନର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ଗମ୍ଭୀରଙ୍କ ଉଦ୍ଦେଶ୍ୟ ଠିକ୍ ହୋଇପାରେ, କିନ୍ତୁ ଏତେ ପରିମାଣରେ ଔଷଧ କିଣି ସେ ଭୁଲ କରିଛନ୍ତି । ଭାରତୀୟ ଔଷଧ ନିୟନ୍ତ୍ରକ (ଡିସିଜିଆଇ) ଏହି ଘଟଣାର ତଦନ୍ତ କରନ୍ତୁ । ଗମ୍ଭୀର ଜଣେ ଜାତୀୟ ଖେଳାଳି । ତାଙ୍କ ଉଦ୍ଦେଶ୍ୟ ସଚ୍ଚୋଟ ହୋଇପାରେ । କିନ୍ତୁ କୋଭିଡ୍ ଔଷଧର ଅଭାବ ରହିଥିବା ବେଳେ ଗମ୍ଭୀର ଏତେ ପରିମାରଣ ଔଷଧ ନିଜ ପାଖରେ ଗଚ୍ଛିତ ରଖି ସମାଜର ଏକପ୍ରକାର କ୍ଷତି ଘଟାଇଛନ୍ତି । କୋଭିଡ୍ ଔଷଧର ଅଭାବ ରହିଛି ବୋଲି ଗମ୍ଭୀର କଣ ଜାଣିନଥିଲେ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ନେତାମାନେ ଏଭଳି ଔଷଧ ଗଚ୍ଛିତ ରଖିବା ଠିକ୍ ନୁହେଁ । ଯଦି ସେମାନେ ଲୋକଙ୍କ ମଙ୍ଗଳ ଚାହୁଁଛନ୍ତି, ତେବେ ନିଜ ପାଖରେ ରଖିଥିବା ଔଷଧକୁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟକୁ ଦିଅନ୍ତୁ ବୋଲି କୋର୍ଟ କହିଛନ୍ତି ।

Comments are closed.