ବୈଦ୍ୟୁତିକ ଯାନ ସବ୍‍ସିଡି ବିତରଣ ହେବ ତ୍ୱରାନ୍ୱିତ, ଆସନ୍ତା ୨୫ରୁ ନୂଆ ଅପଗ୍ରେଡେଡ ଇଭି ପୋର୍ଟାଲ

କଟକ – ଇଲେକ୍ଟ୍ରିକ ଯାନ କ୍ରେତାଙ୍କୁ ସରକାରୀ ପ୍ରୋତ୍ସାହନ ସ୍ରରୂପ ସେମାନେ ପାଉଥିବା ସବ୍‍ସିଡି ଅର୍ଥ ବିତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଇଭି ପୋର୍ଟାଲର ନବୀକରଣ କରାଯାଉଛି। ଏଥିପାଇଁ ବର୍ତ୍ତମାନ ଥିବା ଇଭି(ଇଲେକ୍ଟ୍ରିକ୍‍ ଭେହିକିଲ) ପୋର୍ଟାଲରେ ଆବେଦନ ଗ୍ରହଣକୁ ସାମୟିକ ଭାବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ପୋର୍ଟାଲକୁ ଅଧିକ ବିକଶିତ କରାଯାଉଥିବାବେଳେ ଆସନ୍ତା ୨୫ ତାରିଖରୁ ଏହା ନୂଆ ରୂପରେ କାର୍ଯ୍ୟ କରିବ। ଏହି ପୋର୍ଟାଲରେ ଅଟୋ ସବ୍‍ସିଡି ଡିଷ୍ଟ୍ରିବ୍ୟୁସନର ବ୍ୟବସ୍ଥା ଉପଲବ୍ଧ ହେବ। ଫଳରେ ଇଲେକ୍ଟ୍ରିକ୍‍ ଯାନବାହନ କ୍ରେତାଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସବ୍‍ସିଡି ଅର୍ଥରାଶି ତାହା ସ୍ଥାନାନ୍ତର ହେବ ।

ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ରଙ୍କ କହିବାନୁସାରେ, ବ୍ୟାଙ୍କଗୁଡ଼ିକର ଫଣ୍ଡ୍‍ ଟ୍ରାନ୍ସଫର୍‍ ପୋର୍ଟାଲ ସହ ଏହି ପୋର୍ଟାଲକୁ ସଂଯୋଗ କରାଯିବ। ଯାହା ଫଳରେ ଗାଡ଼ିର ଆର୍‍ସିରେ ରହିଥିବା ନାମାନୁସାରେ ପ୍ରଦତ୍ତ ସମ୍ପୃକ୍ତ ଯାନ କ୍ରେତାଙ୍କ ପ୍ରାମାଣିକ ବ୍ୟାଙ୍କ ଜମା ଖାତାକୁ ସବ୍‍ସିଡି ଅର୍ଥ ସ୍ଥାନାନ୍ତର ହେବ। ହେଲେ ଆର୍‍ସିରେ ଥିବା ନାମ ଓ ବ୍ୟାଙ୍କ ଜମା ଖାତା ନାମରେ ଯେପରି ଅମେଳ ରହୁ ନ ଥିବ। ସେହିପରି ହିତାଧିକାରୀଙ୍କ ବ୍ୟାଙ୍କ ଖାତା ପ୍ରମାଣିକରଣ ନ୍ୟାସ୍‍ନାଲ ପେମେଣ୍ଟ କର୍ପୋରେସନ ଅଫ୍‍ ଇଣ୍ଡିଆ ଜରିଆରେ କରାଯିବ। ବୈଦ୍ୟୁତିକ ଯାନ ମାଲିକମାନେ ଆସନ୍ତା ୨୫ ତାରିଖଠାରୁ ସବ୍‍ସିଡି ଆବେଦନ କରି ଏହାକୁ ପାଇପାରିବେ। ତେବେ ସମ୍ପୃକ୍ତ ଯାନର ବିବରଣୀ ବାହାନ ପୋର୍ଟାଲରୁ ସଂଗ୍ରହ ହେବାର ବ୍ୟବସ୍ଥା ରହିଛି।

Comments are closed.