ମୋଦୀଙ୍କ ଉପରେ ବିଲାୱାଲ ଭୁଟ୍ଟୋଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ପାକିସ୍ତାନ ଦୂତାବାସ ବାହାରେ ବିଜେପିର ବିକ୍ଷୋଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଜରଦାରୀ ଭୁଟ୍ଟୋଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ବିଜେପି ପକ୍ଷରୁ ପାକିସ୍ତାନ ଦୂତାବାସ ସମ୍ମଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି କର୍ମୀମାନେ ପାକିସ୍ତାନ ଦୂତାବାସ ବାହାରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିବା ସହ “ପାକିସ୍ତାନ ହାଏ-ହାଏ” ସ୍ଲୋଗାନ ଦେଇଥିଲେ । ଅନ୍ୟପକ୍ଷରେ ବିଜେପି କର୍ମୀମାନଙ୍କ ବିକ୍ଷୋଭ ଦୃଷ୍ଟିରୁ ପାକ୍ ଦୂତାବାସ ନିକଟରେ ଦିଲ୍ଲୀ ପୋଲିସ ବ୍ୟାରିକେଡ୍ ଲଗାଇଛି।

ଗୁରୁବାର ନ୍ୟୁୟର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଜରଦାରୀ ଭୁଟ୍ଟୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ସେ କହିଥିଲେ ଯେ, “ମୁଁ ଭାରତକୁ କହିବାକୁ ଚାହେଁ ଯେ ଓସାମା ବିନ୍ ଲାଦେନ୍ ମରି ସାରିଛନ୍ତି, କିନ୍ତୁ ‘ଗୁଜରାଟର କଂସାଇ ‘ ଏବେ ବି ବଞ୍ଚିଛନ୍ତି ଏବଂ ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ।”

ଜାତିସଂଘ ବୈଠକରେ ଭାଗ ନେବାକୁ ନ୍ୟୁୟର୍କରେ ପହଞ୍ଚିଥିବା ଭୁଟ୍ଟୋ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଉପରେ ମଧ୍ୟ ଆକ୍ରମଣ କରି କହିଛନ୍ତି ଯେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଆମେରିକା ତାଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲା। ଉଭୟ ଭାରତର ନୁହଁନ୍ତି, ବରଂ ଆରଏସ୍ଏସର ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ।

ଏହାଛଡ଼ା ବିଲାୱାଲ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟ ବୃଦ୍ଧି ପାଇଁ ଭାରତକୁ ଦାୟୀ କରିଥିଲେ । ସେ କହିଥିଲେ ଯେ ପାକିସ୍ତାନରେ ଆତଙ୍କବାଦ ପଡୋଶୀ ଦେଶରୁ ସମର୍ଥନ ପାଉଛି ଏବଂ ବାଲୁଚିସ୍ତାନରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

ଆତଙ୍କବାଦ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପାକିସ୍ତାନକୁ ଭର୍ତ୍ସନା କରିବା ପରେ ବିଲାଓ୍ବାଲ ଭୁଟ୍ଟୋ ମୋଦୀଙ୍କ ଉପରେ ଏଭଳି ଅରୁଚିକର ମନ୍ତବ୍ୟ ଦେଇଥିଲେ । ବୁଧବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯୋଗ ଦେଇ ଜୟଶଙ୍କର ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ପାକିସ୍ତାନକୁ ସମାଲୋଚନା କରିଥିଲେ। ଜୟଶଙ୍କର କହିଥିଲେ ଯେ ଅଲ୍ କାଏଦା ନେତା ଓସାମା ବିନ୍ ଲାଦେନଙ୍କ ପରି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଏବଂ ପଡୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରିଥିବା ଦେଶ ଆତଙ୍କବାଦ ନେଇ ଅନ୍ୟକୁ ଉପଦେଶ ଦେବା ଉଚିତ୍ ନୁହେଁ।

Comments are closed.