‘ଯଦି ସୁପ୍ରିମକୋର୍ଟରୁ ନ୍ୟାୟ ନ ମିଳେ, ଲୋକେ ଯିବେ କୁଆଡ଼େ..’, ବାନୋଙ୍କ ଆବେଦନ ଖାରଜ ପରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଲକିସ୍ ବାନୋଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିବା ପରେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲୁ) ଅଧ୍ୟକ୍ଷା ସ୍ବାତି ମାଲିୱାଲ ନିରାଶା ବ୍ୟକ୍ତ କରିଛନ୍ତି । ଯଦି ସର୍ବୋଚ୍ଚ ନ୍ୟାୟାଳୟରୁ ନ୍ୟାୟ ନ ମିଳେ, ତେବେ ଲୋକମାନେ ଆଉ କେଉଁଠିକି ଯିବେ ବୋଲି ମାଲିୱାଲ ପ୍ରଶ୍ନ କରିଛନ୍ତି । ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଗଣଦୁଷ୍କର୍ମ ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ଗୁଜରାଟ ସରକାରଙ୍କୁ ଅନୁମତି ଦେବା ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ବାନୋ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । କିନ୍ତୁ ବାନୋଙ୍କ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ମାଲିୱାଲ ଟୁଇଟ୍ କରି କହିଛନ୍ତି, “ସୁପ୍ରିମକୋର୍ଟ ବିଲକିସ୍ ବାନୋଙ୍କ ଆବେଦନକୁ ଖାରଜ କରିଛନ୍ତି। ୨୧ ବର୍ଷ ବୟସରେ ବିଲକିସ୍ ବାନୋଙ୍କୁ ଗଣବଳାତ୍କାର କରାଯାଇଥିଲା, ତାଙ୍କର ତିନି ବର୍ଷର ପୁଅ ଏବଂ ପରିବାରର ଅନ୍ୟ ୭ ଜଣଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ଗୁଜରାଟ ସରକାର ସବୁ ବଳାତ୍କାରୀଙ୍କୁ ମୁକ୍ତ କରିଥିଲେ। ଯଦି ସୁପ୍ରିମକୋର୍ଟଙ୍କଠାରୁ ନ୍ୟାୟ ନ ମିଳେ, ତେବେ ଲୋକମାନେ କୁଆଡେ଼ ଯିବେ? ” ପ୍ରକ୍ରିୟା ଅନୁଯାୟୀ, ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ବିରୋଧରେ ପୁନର୍ବିଚାର ଆବେଦନର ଶୁଣାଣି ସମ୍ବନ୍ଧୀୟ ନିଷ୍ପତ୍ତି ବିଚାରପତି ନିଜ ପ୍ରକୋଷ୍ଠରେ କରନ୍ତି ।

ଡିସେମ୍ବର ୧୩ରେ ଜଷ୍ଟିସ ଅଜୟ ରସ୍ତୋଗି ଏବଂ ଜଷ୍ଟିସ ବିକ୍ରମ ନାଥଙ୍କ ଏକ ଖଣ୍ଡପୀଠ ସମ୍ମୁଖରେ ଏହି ଆବେଦନ କରାଯାଇଥିଲା। ବାନୋଙ୍କ ଓକିଲ ଶୋଭା ଗୁପ୍ତାଙ୍କୁ ସର୍ବୋଚ୍ଚ ଅଦାଲତର ସହକାରୀ ରେଜିଷ୍ଟ୍ରାରଙ୍କ ଦ୍ବାରା ପଠାଯାଇଥିବା ବାର୍ତ୍ତାରେ କୁହାଯାଇଛି ଯେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏହି ପୁନର୍ବିଚାର ଆବେଦନ ଡିସେମ୍ବର ୧୩, ୨୦୨୨ରେ ଖାରଜ ହୋଇଯାଇଛି। ଜଣେ ଦୋଷୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମେ ୧୩ରେ ଦେଇଥିବା ଆଦେଶର ପୁନର୍ବିଚାର କରିବାକୁ ବାନୋ ନିବେଦନ କରିଥିଲେ ।

୧୯୯୨ର ନୀତି ଅନୁଯାୟୀ ବିଲକିସ୍ ବାନୋ ମାମଲାର ଦୋଷୀ ମାନଙ୍କୁ ମୁକ୍ତ କରିବାକୁ ଆବେଦନ ଉପରେ ଦୁଇ ମାସ ମଧ୍ୟରେ ବିଚାର କରିବାକୁ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ କହିଥିଲେ । ଗୁଜୁରାଟ ସରକାର ସମସ୍ତ ୧୧ ଦୋଷୀଙ୍କ ଦଣ୍ତ ଛାଡ଼ କରି ଚଳିତ ବର୍ଷ ଅଗଷ୍ଟ ୧୫ ରେ ମୁକ୍ତ କରିଥିଲେ ।

Comments are closed.