ଗ୍ରାମାଞ୍ଚଳରେ ସାଢ଼େ ୯ ଲକ୍ଷ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଣ୍ଟନ କରାଯିବ

ଆସନ୍ତା ଜାନୁଆରୀ ସୁଦ୍ଧା କାର୍ଯ୍ୟାଦେଶ ପ୍ରଦାନ ଏବଂ ଜୁନ ସୁଦ୍ଧା ଗୃହ ନିର୍ମାଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ନିମନ୍ତେ ଯାରି ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ଜୁନ ମାସ ସୁଦ୍ଧା ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଢ଼େ ୯ ଲକ୍ଷ ପକ୍କାଘର ନିର୍ମାଣ କରାଯିବ । ଆସନ୍ତା ଜାନୁଆରୀ ମାସ ସୁଦ୍ଧା ଯୋଗ୍ୟ ହିତାଧିମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ଏଥି ନିମନ୍ତେ ପ୍ରକ୍ରିୟା ତ୍ୱରାନିତ୍ୱ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ପ୍ରତ୍ୟେକ ହିତାଧିକାରୀଙ୍କ ତାଲିକାକୁ ଜନ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରତ୍ୟେକ ଗ୍ରାମ ପଂଚାୟତରେ ୧୦ ଦିନ ପାଇଁ ପ୍ରଦର୍ଶନ କରାଯିବ । ଏହି ତାଲିକାରେ କୌଣସି ଅଯୋଗ୍ୟ ବ୍ୟକ୍ତି ସ୍ଥାନିତ ହୋଇଥିଲେ ଏ ବାବଦରେ ଆପତ୍ତି ଅଭିଯୋଗ ପଂଚାୟତ ଅଥବା ବ୍ଲକ୍ କାର୍ଯ୍ୟାଳୟରେ ରଖାଯାଇଥିବା ଉଦ୍ଦିଷ୍ଟ ବାକ୍ସରେ ପକାଇପାରିବେ । ଏତଦବ୍ୟତୀତ ଟୋଲ ଫ୍ରୀ ନମ୍ବର ୧୮୦୦-୩୪୫୬-୭୬୮ ଏବଂ ଅନଲାଇନ୍ ମାଧ୍ୟମରେ ଅଭିଯୋଗ ଜଣାଇପାରିବେ । କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ବିଡ଼ିଓ ମାନଙ୍କ ମାଧ୍ୟରେ ସଂପୃକ୍ତ ଘରର ଫଟୋ ଉଠା ଯାଇ ଜିଓ ଟ୍ୟାଙ୍ଗି କରାଯିବ । ଏହି ଯାଞ୍ଚ ପ୍ରକ୍ରିୟାରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦିଆଯିବ ।

ଗ୍ରାମାଞ୍ଚଳରେ ଏହି ଯୋଜନା ମାଧ୍ୟମରେ ବ୍ୟାପକ ପକ୍କା ଘର ନିର୍ମାଣ କରାଯାଇ ବନ୍ୟା, ବାତ୍ୟା, ବର୍ଷା ଏବଂ ହାତୀ ଉପଦ୍ରବରୁ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ରକ୍ଷା କରାଯାଇ ପାରିବ ଓ କଚ୍ଚା ଘର ଶୂନ୍ୟ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେବ ବୋଲି ଶ୍ରୀ ମହାପାତ୍ର ଆଶାବ୍ୟକ୍ତ ପ୍ରକାଶ କରିଛନ୍ତି ।

ଏହି ଅବସରରେ ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.